ଭୁବନେଶ୍ୱର : ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ ଆଣିବା ପରେ ଏହାର ଜବାବ୍ ଦେଇ ବିଜେଡି କହିଛି ଯେ ଶ୍ରୀ ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀ‌େର ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ ମାମଲାଟି ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାନ୍ତି। ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି। ଯେତେଦୂର ସିଡିଆର କଥା, ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି ଏବଂ ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ। ଆମେ ଆଶା କରୁଛୁ ଯେ ଶ୍ରୀ ମହାନ୍ତି ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ ଏବଂ ଅଦାଲତଙ୍କ ଆଦେଶ ଉପରେ ସୁହାଇଲା ଭଳି ମନ୍ତବ୍ୟ ଦେବା ପରିବର୍ତ୍ତେ ଆଇନକୁ ତା’ ବାଟରେ କାର୍ଯ୍ୟ କରିବାକୁ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ।

ପ୍ରମାଣ ନଷ୍ଟ ହେବାର ଅଭିଯୋଗ ଶୁଣାକଥା ଉପରେ ଆଧାରିତ: ବିଜେଡି
ଭୁବନେଶ୍ବର : ଶିକ୍ଷୟିତ୍ରୀ ମମିତା ହତ୍ୟା ମାଲାରେ ପ୍ରମାଣ ନଷ୍ଟ କରାଯାଉଥିବା କଂଗ୍ରେସ ଅଭିଯୋଗ କରିବା ପରେ ଏହାର ଜବାବ ରଖିଛି ବିଜେଡି। ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ନଷ୍ଟ ହେବା ଅଭିଯୋଗ ଏକ ରାଜନୈତିକ ଅଭିଯୋଗ ବୋଲି କୁହାଯାଇଛି। ଶୁଣାକଥା ଓ ଧାରଣାକୁ ଆଧାର କରି ସାମ୍ବାଦିକ ସମ୍ମିଳନୀକୁ ସମ୍ବେଦନଶୀଳ କରିବା ପାଇଁ ଏକଥା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି।

ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ନରସିଂହ ମିଶ୍ରଙ୍କ ନିକଟରେ ଯଦି କୌଣସି ପ୍ରମାଣ ଅଛି ତାହାକୁ ନେଇ ସେ କୋର୍ଟକୁ ଯାଇପାରିବେ। ମମିତା ହତ୍ୟା ମାମଲାର ତଦନ୍ତ ଜଣେ କାର୍ଯ୍ୟକାରୀ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ମାଧ୍ୟମରେ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ପତ୍ର ଲେଖିଥିଲେ। ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କୁ ନିଯୁକ୍ତ କରିଛନ୍ତି। ହାଇକୋର୍ଟଙ୍କୁ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍। ଯଦି ଶ୍ରୀ ମିଶ୍ରଙ୍କ ଏ ନେଇ କିଛି ମତଭେଦ ରହିଛି ତାହାଲେ ସେ ଅଦାଲତଙ୍କ ନିକଟକୁ ଯାଇପାରିବେ। ସେ ଆହୁରି କହିଛନ୍ତି ଯେ ବିଧାନସଭାକୁ ଚଳାଇବାକୁ କଂଗ୍ରେସ ରାଜ୍ୟ ଅଛି ବୋଲି ଶ୍ରୀ ମିଶ୍ର କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ କିଭଳି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ଓ ଗୃହ ଚାଲିବାକୁ ଦେଉନାହିଁ ତାହା ସାରା ଓଡ଼ିଶା ଦେଖୁଛି। ବିଧାନସଭା ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ବିଧାୟକମାନେ ବିଧାନସଭାରେ ବିଧାୟକଙ୍କୁ ପୂରାଇ ନଦେବାକୁ ଚେଷ୍ଟା କରିଥିଲେ। କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କ ସହ ମିଶି ଓଡ଼ିଶା ବିଧାନସଭାକୁ ଚଳାଇବାକୁ ଦେଉନାହାନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅତ୍ୟତମ ବିଧାୟିକା ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ।

The post ଅଦାଲତି ମାମଲାକୁ ନେଇ ବିଜେପି ବିଭ୍ରାନ୍ତ କରୁଛି: ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/32TRsor