
ମମିତା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନାକୁ ସରକାର ଡରୁଛନ୍ତି: ନରସିଂହ
ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହେଉ ଏସ୍ଆଇଟି ତଦନ୍ତ: କଂଗ୍ରେସ
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଲିସର ତଦନ୍ତ ଠିକ୍ ବାଟରେ ଯାଉନାହିଁ। ମାମଲାରେ ଅପରାଧିକ ଷଡ଼ଯନ୍ତ୍ରର କୌଣସି ତଦନ୍ତ ପୁଲିସ କରୁନାହିଁ। ସଂପୃକ୍ତ କଲେଜରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏ ଦିଗରେ ପୁଲିସର ତଦନ୍ତ ଆଗଉନି। ବରଂ ଯଥାସମ୍ଭବ ପ୍ରମାଣ ନଷ୍ଟ କରିବା ଦିଗରେ ପୁଲିସ କାର୍ଯ୍ୟ କରିଛି। ମୁଖ୍ୟ ଅଭିଯୁକ୍ତକୁ ଖଲାସ କରିବାର ପୁଲିସ ବାଟ ଫିଟାଇଛି। ସମସ୍ତ ପ୍ରମାଣ ନଷ୍ଟ କରାଯିବା ପରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ସାମ୍ନାକୁ ଆସି ବାହାସ୍ଫୋଟ ମାରୁଛନ୍ତି। ତେଣୁ ମମିତା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ଏସ୍ଆଇଟି ଏହାର ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରସିଂହ ମିଶ୍ର।
ସୋମବାର କଂଗ୍ରେସ ଭବନରେ ଦଳର ବିଧାୟକଗଣଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ମିଶ୍ର କହିଥିଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ସୁପ୍ରିମକୋର୍ଟ ଯେଉଁଭଳି ତଦନ୍ତ କରୁଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ଅନୁସରଣ କରନ୍ତୁ। ମମିତା ଘଟଣାରେ ସରକାରଙ୍କ ପକ୍ଷରୁ ବିରୋଧୀ ଦଳଙ୍କୁ ପ୍ରମାଣ ମଗାଯାଉଛି। ଗଣମାଧ୍ୟମରେ ମମିତାଙ୍କ ପରିବାର ଲୋକ ଦେଇଥିବା ବୟାନ ସହିତ ମମିତାଙ୍କ ସଂପର୍କୀୟ-ଅଭିଯୁକ୍ତ ଓ ମମିତାଙ୍କ ସହପାଠୀମାନଙ୍କ ଭିତରେ ହୋଇଥିବା ବାର୍ତାଳାପ ବହୁତ କିଛି ବୟାନ କରୁଛି। ଏସବୁର ଏକାଧିକ କଲ୍ ରେକର୍ଡିଂ ମଧ୍ୟ ରହିଛି। ମମିତାର ଅପହରଣ ଓ କିଭଳି ଅପହରଣ ହେଲା ଓ ଏହାର ପ୍ରଚ୍ଛଦ ପଟରେ କେଉଁମାନେ ସଂପୃକ୍ତ ସେ ସମ୍ବନ୍ଧରେ ଅନୁସନ୍ଧାନ ନ କରି କେବଳ ହତ୍ୟା ମାମଲା ରୁଜୁ କରି ପୁଲିସ ଚୁପ୍ ବସିଛି। ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦଳ ପ୍ରଥମରୁ ଦାବି କରି ଆସିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବିଧାନସଭାର ରାଜ୍ୟ ସରକାର ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନକୁ ବାଦ୍ ଦେଲେ ସରକାର ଅନ୍ୟ କୌଣସି କାର୍ଯ୍ୟ ରଖି ନାହାନ୍ତି। କଂଗ୍ରେସ ଦଳ ପକ୍ଷରୁ ମମିତା ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଗୃହରେ ଅଚଳାବସ୍ଥା ସୃଷ୍ଟି ହେଲେ ବାଚସ୍ପତି ଗୃହର ସବୁ ଦଳର ସଦସ୍ୟଙ୍କୁ ଡାକି କିଭଳି ଗୃହ ଚାଲିବ ସେଥିପାଇଁ ପଦକ୍ଷେପ ନେଇଥାନ୍ତି। ମାତ୍ର ଏଥର ସେଭଳି କରାଗଲା ନାହିଁ। ଏହାସହ ଗୃହକର୍ତା ଭାବେ ମୁଖ୍ୟମନ୍ତ୍ରୀ ମଧ୍ୟ ସବୁ ଦଳର ସଦସ୍ୟଙ୍କୁ ଡାକିବାର ପରମ୍ପରା ରହିଛି। ମାତ୍ର ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ପରମ୍ପରା ଭାଙ୍ଗି ଯାଇଛି। ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସି ଏକ ଭିଡିଓ ବାର୍ତା ଜରିଆରେ ବିରୋଧୀ ଦଳ ଗୃହ ଚଳାଇବାକୁ ଚାହୁଁ ନ ଥିବା ଅଭିଯୋଗ କରିଥିଲେ। ମାତ୍ର ପ୍ରକୃତରେ ମମିତା ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରିବାକୁ ରାଜ୍ୟ ସରକାର ଡରୁଛନ୍ତି। ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ମନ୍ତ୍ରୀ ଥିବା ସମୟରେ ରାଜ୍ୟରେ ଏଭଳି ଏକ ଘଟଣାରେ ବନ୍ଦ ଡାକରା ଦେଇଥିଲେ। ପ୍ରୋଟୋକଲ ଭାଙ୍ଗି ଥାନାକୁ ଏଫ୍ଆଇଆର ଦେବାକୁ ଯାଇଥିଲେ। ଏବେ କଳିଙ୍ଗ ଷ୍ଟାଡିୟମ୍କୁ ଅତିଥିଭାବେ ଯାଉଛନ୍ତି, ହେଲେ ବିଧାନସଭାକୁ ଆସୁ ନାହାନ୍ତି। ଷ୍ଟାଡିୟମ୍ରେ କରୋନା ହେଉନି ଅଥଚ ବିଧାନସଭାରେ କରୋନା ସଂକ୍ରମଣ ହେଉଛି। ଯେଉଁ ସମୟରେ ଯେତେବେଳେ ବିରୋଧୀ ଦଳ ଆଲୋଚନାକୁ ଡାକୁଛନ୍ତି ସେ ସମୟରେ ଆଲୋଚନା କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ସବୁବେଳେ ଦଳୀୟ ରାଜନୀତି କରୁଥିଲେ ଓ ଏବେ ବି କରୁଛନ୍ତି। କଂଗ୍ରେସ ଦଳ ଲୋକଙ୍କ ତରଫରୁ ରାଜନୀତି କରି ଆସିଛି। ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସନ୍ତୁ ଓ ବିରୋଧୀଙ୍କୁ ସାମ୍ନା କରନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ସିଏସ୍ ରାଜନ ପ୍ରମୁଖ ଉପସ୍ଥିତ ଥିଲେ।

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଛନ୍ତି: ବିଜେପି
ଭୁବନେଶ୍ୱର : ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଅଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ବି ପଞ୍ଚାୟତିରାଜ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ଶ୍ରୀ ଜେନାଙ୍କ ସଂପୃକ୍ତି ଅଛି। ଏସବୁ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିବା ସତ୍ତ୍ବେ ବି ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ଶ୍ରୀ ଜେନାଙ୍କୁ ବିଧାନସଭାକୁ ଆସିବାକୁ ଦେଉଛନ୍ତି ଏବଂ ସଭା ମଞ୍ଚରେ ପାଖରେ ବସାଇ ଦକ୍ଷ ମନ୍ତ୍ରୀ ବୋଲି ସାର୍ଟିଫିକେଟ୍ ଦେଉଛନ୍ତି। ଏଥିରୁ ସନ୍ଦେହ ହେଉଛି, ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଏ କାମ କରିବା ପାଇଁ ପ୍ରୋତ୍ସାହିତ କରିନାହାନ୍ତି ତ? ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ମହାନ୍ତି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରୋକ୍ଷ ଭାବରେ ସେ ସରକାର ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୃଷ୍ଠପୋଷକତାରେ କାମ କରୁଥିବା ପ୍ରମାଣ କରିଦେଇଛନ୍ତି। ଏପରିକି ଆଇଆଇସି ଘଟଣାରେ ତତ୍ପରତା ନ ଦେଖାଇବା ଏବଂ ମାନ୍ୟବର ଅଦାଲତଙ୍କୁ ବାରମ୍ବାର ଅଧିକ ସମୟ ମାଗିବାର ଆଳ ଦେଖାଇ କେସ୍କୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏହାସହ ଶ୍ରୀ ମହାନ୍ତି କହିଛନ୍ତି ଯେ ମମିତା ମେହେର ମାମଲାରେ ଶାସକ ଦଳ ଗୋଟେ କଥା କହୁଛି, ମାହାଙ୍ଗା ମର୍ଡର କେସ୍ରେ କୋର୍ଟ କହିବା ପରେ ବି ଗଳା ବାଟ ଦେଖୁଛି। କୋର୍ଟକୁ ତଥ୍ୟ ଦେଉନ ମାନେ- ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ ସଦୃଶ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।
from ରାଜନୀତି | Sambad https://ift.tt/3xYzrAM
0 Comments