
ଭୁବନେଶ୍ୱର : କ୍ରମାଗତ ଭାବେ ରାଜ୍ୟର ପଛୁଆ ବର୍ଗଙ୍କୁ ଯେଉଁଭଳି ଭାବେ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିମାନଙ୍କୁ ବଞ୍ଚିତ ରଖୁଥିବା ଶାସକ ବିଜେଡି ବର୍ତମାନ ସେମାନଙ୍କୁ ରାଜନୈତିକ ଅଧିକାରରୁ ମଧ୍ୟ ବଞ୍ଚିତ ରଖୁଛନ୍ତି। ପଞ୍ଚାୟତ ଆଇନ ସଂଶୋଧନ ସମୟରେ ଓବିସିମାନଙ୍କୁ ୨୭% ସଂରକ୍ଷଣ କଥା କହି ଭୂଆଁ ବୁଲାଉଥିବା ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ବୈଠକରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ସଂପ୍ରତି ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଜିଲ୍ଲା ସ୍ତରରେ ପ୍ରକାଶିତ ହୋଇଥିବା ସଂରକ୍ଷଣ ତାଲିକାରୁ ଏହା ସ୍ପଷ୍ଟ ହୋଇଛି । ସଂରକ୍ଷଣ ଚିଠା ପ୍ରକାଶିତ ହେବା ପରେ ସବୁ ଆଡୁ ଅଭିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥି ପ୍ରତି ଉଦାସୀନ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରିକି ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ୮ଟି ଜିଲ୍ଲାରେ ଓବିସିଙ୍କ ପାଇଁ କୈାଣସି ସଂରକ୍ଷଣର ବ୍ୟବସ୍ଥା କରାଯାଇନାହିଁ । ୫୨%ରୁ ଅଧିକ ଜନସଂଖ୍ୟା ଥିବା ସତ୍ତ୍ବେ ୮ଟି ଜିଲ୍ଲାରେ ଓବିସିଙ୍କ ପାଇଁ ସଂରକ୍ଷଣ ଶୂନ କାହିଁକି ହେଲା? ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ଓବିସି କମିସନଙ୍କୁ ବିଜେପି ତରଫରୁ ଅଭିଯୋଗ କରାଯାଇଛି। ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ପ୍ରସଙ୍ଗରେ ଖୁବ୍ ଶୀଘ୍ର ଜାତୀୟ ଓବିସି କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖ ଭାଗ ନେଇଥିଲେ।
The post ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଓବିସିଙ୍କୁ ପ୍ରତାରଣା: ବିଜେପି first appeared on Sambad.from ରାଜନୀତି | Sambad https://ift.tt/3qCsILf
0 Comments