ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ସୀମା ବଢ଼ାଇ ଦିଆଯାଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିସନ୍‌ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ବାଚନ କମିସନ୍‌ଙ୍କ ଆଦେଶ ଅନୁସାରେ ପଞ୍ଚାୟତିରାଜ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ।

ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଜିଲ୍ଲା ପରିଷଦ ସଭ୍ୟମାନେ ନିର୍ବାଚନରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଜିଲ୍ଲା ପରିଷଦ ସଦସ୍ୟ ପ୍ରଚାର କାର୍ଯ୍ୟରେ ମୋଟ୍‌ ୫ଟି କାର ଓ ୧୦ଟି ବାଇକ୍‌ ବ୍ୟବହାର କରିପାରିବେ। ସେହିଭଳି ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀମାନେ ୨-୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ୨ଟି କାର୍‌ ଓ ୫ଟି ବାଇକ୍‌ ବ୍ୟବହାର କରିପାରିବେ।  ନିର୍ବାଚନ କମିସନ୍‌ ଏହାରି ମଧ୍ୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟିଂ ସମୟକୁ ମଧ୍ୟ ପରିବର୍ତ୍ତନ କରିଛନ୍ତି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ।

ସୂଚନାଯୋଗ୍ୟ, ପୂର୍ବରୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ୮୦ହଜାର ଥିଲା। ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ୨ଲକ୍ଷ ଟଙ୍କା ଥିଲା। ତେଣୁ ଗତ ୬ ତାରିଖ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମସ୍ତ ରାଜନୈତିକ ଦଳଗୁଡ଼ିକର ବୈଠକ ବେଳେ ନିର୍ବାଚନୀ ଖର୍ଚ୍ଚ ବଢ଼ାଇବାକୁ ଦାବି କରାଯାଇଥିଲା।

The post ବଢ଼ିଲା ନିର୍ବାଚନୀ ଖର୍ଚ୍ଚ ସୀମା: ଜିଲ୍ଲା ପରିଷଦ ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ୫ ଲକ୍ଷ ଟଙ୍କା first appeared on Sambad.

from ରାଜନୀତି | Sambad https://ift.tt/30pRtza