
ମମିତା ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ହେଉ: ସାଂସଦ ଅପରାଜିତା
୫ବର୍ଷରେ ରାଜ୍ୟରେ ୨୭,୦୦୦୦ ଶିଶୁ ନିଖୋଜ: ସମୀର
ଭବାନୀପାଟଣା/ସମ୍ବଲପୁର : ମହାଲିଙ୍ଗ ସନ୍ସାଇନ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ସମେତ ବିଭିନ୍ନ ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦଳୀୟ ନେତା ନିଜ ସ୍ବରକୁ ଆହୁରି ଶାଣିତ କରିଛନ୍ତି। ଭୁବନେଶ୍ବର ସାଂସଦ ତଥା ବିଜେପିର ଜାତୀୟ ମୁଖପାତ୍ର ଅପରାଜିତା ମହାନ୍ତି ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିବାବେଳେ ରାଜ୍ୟ ଅଧ୍ୟକ୍ଷ ସମୀର ମହାନ୍ତି ରାଜ୍ୟବାସୀଙ୍କ ନିକଟରେ ସରକାର ଆସ୍ଥା, ବିଶ୍ୱାସ ହରାଇଥିବା କହିଛନ୍ତି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭବାନୀପାଟଣାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ସେ କହିଥିଲେ, ରାଜ୍ୟର ମହିଳାମାନଙ୍କ ସୁରକ୍ଷା ବର୍ତ୍ତମାନ ସବୁଠୁ ଉଦ୍ବେଗର ବିଷୟ ହୋଇଛି। ଏନ୍ସିଆରବିର ରିପୋର୍ଟ ଅନୁଯାୟୀ ମହିଳା ହିଂସାରେ ଓଡ଼ିଶା ଦ୍ବିତୀୟ ସ୍ଥାନ ଥିବାବେଳେ ଦଣ୍ଡହାର ୯.୨% ରହିଛି ବୋଲି ସୂଚନା ଦେଇଥିଲେ। ଏଥିସହିତ, କେସିଙ୍ଗା ଠାରେ ଟେକ୍ସଟାଇଲ ପାର୍କ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ବିଭିନ୍ନ ସମସ୍ୟା ଉତ୍ଥାପନ କରି ସେ ଆହୁରି ମଧ୍ୟ କହିଥିଲେ ଯେ ଭବାନୀପାଟଣା ଓ କେସିଙ୍ଗାରେ ବାଇପାସ୍ ରାସ୍ତା ନଥିବା ଯୋଗୁଁ ଜନସାଧାରଣ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରୁ ବାହାର ରାଜ୍ୟକୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଜାତୀୟ ସୂଚକାଙ୍କରେ କଳାହାଣ୍ଡି ସବୁଠୁ ପଛରେ ରହିଛି। ନର୍ଲାରେ ରେଳଡ଼ବା କାରଖାନା ନିମନ୍ତେ ରାଜ୍ୟ ସରକାର ଜମି ନଦେବା ଯୋଗୁଁ ହୋଇପାରିନଥିଲା। କଳାହାଣ୍ଡି ଜିଲ୍ଲାରେ ଧାନ ଓ କପାର ଅଭାବୀ ବିକ୍ରି ରହିଛି। ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା କେବଳ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନ୍ ଜଳସେଚିତ ହେଉଥିବାବେଳେ ଭବାନୀପାଟଣା ସବଡିଭିଜନ୍ରେ ଜଳସେଚନ ହୋଇପାରୁନାହିଁ। ଫଳରେ ଭବାନୀପାଟଣା ସବଡିଭିଜନ୍ରେ ଚାଷୀମାନେ ଠିକ ଭାବେ ଫସଲ ଉତ୍ପାଦନ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଏଥିସହିତ, ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସେ ସିବିଆଇ ତଦନ୍ତ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ସୁନୀଲ ବେହେରା, ବେଦପ୍ରକାଶ ଗୋଏଲ, ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ବିନିତା ଦାସ, କୁନ୍ତୀ ପାଲ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ସମ୍ବଲପୁର ଗସ୍ତ ଅବସରରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୂପ ଭାବେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ଗତ ୫ ବର୍ଷରେ ରାଜ୍ୟରେ ୨୭, ୦୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ହୋଇଛନ୍ତି। ରାଜ୍ୟରେ ପ୍ରତିଦିନ ୪ ଜଣ ଦୁଷ୍କର୍ମ ଓ ୬ ଅପହରଣର ଶିକାର ହେଉଛନ୍ତି। ଏଥିସହିତ, ବିଜେଡି ଶାସନରେ ଉଭୟ ମହିଳା ଓ ଶିଶୁ ବିପଦରେ। ରାଜ୍ୟବାସୀଙ୍କ ନିକଟରେ ଆସ୍ଥା, ବିଶ୍ୱାସ ଓ ବିଶ୍ୱସନୀୟତା ପୁଲିସ ବିଭାଗ ହରାଇଥିବା କହିଥିଲେ।
The post ରାଜ୍ୟ ସରକାରଙ୍କୁ ପୁଣି ଘେରିଲା ବିଜେପି first appeared on Sambad.from ରାଜନୀତି | Sambad https://ift.tt/30pt0u4
0 Comments