
ଭବାନୀପାଟଣା : ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ନଛୋଡ଼ବନ୍ଧା ଅଛନ୍ତି। ଏଭଳି ସ୍ଥିତିରେ ବିରୋଧୀମାନେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ଉପରକୁ ଅଣ୍ଡାମାଡ଼ କରୁଛନ୍ତି। ଏଥିସହିତ କଳାପତାକା ପ୍ରଦର୍ଶନ ବି! ଯାହାକି, ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗତ ଅକ୍ଟୋବର ୨୦ ତାରିଖରେ କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭବାନୀପାଟଣା ବାସଭବନରେ ପ୍ରଥମେ ଅଣ୍ଡାମାଡ଼ ହୋଇଥିଲା। ଅନୁରୂପ ଭାବେ ଅକ୍ଟୋବର ୨୩ ତାରିଖରେ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଭବାନୀପାଟଣା ବାସଭବନରେ ଅଣ୍ଡାମାଡ଼ କରାଯାଇଥିଲା। ପୁଲିସ ଏହି ଘଟଣାରେ ୧୦ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଚଳିତମାସ ମଧ୍ୟ ବିରୋଧୀ ଦଳର ଏହିଭଳି ଆଚରଣ ବଳବତ୍ତର ରହିିଥିଲା। ୧ ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କେଗାଁ ଥାନା ସମ୍ମୁଖରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ୨ ତାରିଖରେ ଗୋଲାମୁଣ୍ଡା ବ୍ଲକ୍ ଫୁଣ୍ଡା ଛକଠାରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ୬ ତାରିଖ ଦିନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେପି କର୍ମୀମାନଙ୍କ ପକ୍ଷରୁ ଜୁନାଗଡ଼ କଲେଜ ଛକ ନିକଟରେ ଅଣ୍ଡାମାଡ଼ ହୋଇଥିଲା। ସେହିଦିନ ସନ୍ଧ୍ୟାରେ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ଛକଠାରେ ବିଜେପ କର୍ମୀମାନେ କଳାପତାକା ଦେଖାଇଥିଲେ। ନଭେମ୍ବର ୮ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଦିନ ଭବାନୀପାଟଣା ସହରର ଏମ୍ଏସ୍ଏ ଛକ ଠାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ ହୋଇଥିଲା। ଗୋସାଲ ପଡ଼ାଠାରେ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ ହୋଇଥିଲା। କେସିଙ୍ଗାଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଜୟପାଟଣା ବ୍ଲକ୍ର ମୁଖୀଗୁଡ଼ାଠାରେ ବିଜେପି ପକ୍ଷରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିଲା। ନର୍ଲାଠାରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା।
ସେହିଭଳି ଜୁନାଗଡ଼ର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଆଣ୍ଡାମାଡ଼ ହୋଇଥିଲା। ବୁଧବାର ଥୁଆମୂଳ ରାମପୁର ଡୁମେରପଦରଠାରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ମମିତା ପ୍ରସଙ୍ଗରେ କଳାହାଣ୍ଡି ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ତୀବ୍ର ହେବାରେ ଲାଗିଛି। ତେବେ, ଏହା ପୁଲିସ ଓ ପ୍ରସାଶନ ପାଇଁ ଚିନ୍ତାର କାରଣ ପାଲଟିଛି।
ଅନ୍ୟପକ୍ଷରେ, ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଦେପୁରରେ ଆକାଶଙ୍କୁ କଳାପତାକା ପ୍ରଦର୍ଶନ
ଭବାନୀପାଟଣା : ମମିତା ମେହେର ହତ୍ୟା ପ୍ରସଙ୍ଗ ନେଇ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ଜାରିରହିଛି। ବୁଧବାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରକୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଡୁମେରପଦର ଠାରେ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ଶ୍ରୀ ବେହେରା ଡୁମେରପଦର ପଞ୍ଚାୟତକୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିଲେ। କଂଗ୍ରେସର ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ନାଏକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ପୂର୍ବରୁ ଛକି ରହିଥିଲେ। କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ସେହିଭଳି ଦେପୁରରେ ‘ମୋ କଲେଜ୍’ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ ହୋଇଛି। ସେ କାର୍ଡ ବାଣ୍ଟି ଫେରୁଥିଲେ ଭବାନୀପାଟଣା ସଦର ବ୍ଲକ୍ ଦେପୁରରେ ନିକଟରେ ବିଜେପି କର୍ମୀମାନେ କଳାପତାକା ଦେଖାଇ ନାରାବାଜି କରିଥିଲେ।

କେନ୍ଦୁଝରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ
କେନ୍ଦୁଝର : ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି କେନ୍ଦୁଝର ଗସ୍ତରେ ଆସିଥିବାବେଳେ ବିଜେପି କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଛନ୍ତି। କେନ୍ଦୁଝର ଦରବାର ହଲ୍ରେ ବୁଧବାର ଦିନ ଜିଲ୍ଲା ଯୋଜନା ବୋର୍ଡର ଏକ ବୈଠକ ଥିଲା। କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉକ୍ତ ବୈଠକରେ ଯୋଗଦେବାକୁ ଆଜି କେନ୍ଦୁଝର ଆସୁଥିବାବେଳେ ସଦର ଥାନା ନେଙ୍କଡ଼ାଘର ନିକଟରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ତାଙ୍କୁ କଳା ପତାକା ଦେଇଥିଲେ। ଗୋ ବ୍ୟାକ୍, ଗୋ ବ୍ୟାକ୍ କହି ନାରାବାଜି କରିଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ବିଜେପି, କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରୁଛନ୍ତି। ଆଜି କେନ୍ଦୁଝର ଗସ୍ତରେ ଆସୁଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ବିରୋଧୀ ଦଳର କର୍ମୀମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିବେ ବୋଲି ପୁଲିସ ସୂଚନା ପାଇଥିଲା। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ହେଲେ ବିଜେପି କର୍ମୀମାନେ ପୁଲିସକୁ ଚକ୍ମା ଦେବାରେ ସକ୍ଷମ ହୋଇଥିଲେ। ନରଣପୁର ପର୍ଯ୍ୟନ୍ତ ପୁଲିସ ଏବଂ ବିଜେଡି କର୍ମୀମାନେ ଜଗି ବସିଥିଲେ। ସେଠାରୁ ଅଳ୍ପଦୂରରେ ଛକି ରହିଥିବା ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ।
The post ମମିତା ମେହେର ହତ୍ୟା ପ୍ରସଙ୍ଗ: ଥମୁନି ମନ୍ତ୍ରୀଙ୍କୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ first appeared on Sambad.from ରାଜନୀତି | Sambad https://ift.tt/3c1mU5A
0 Comments