
ନୂଆଦିଲ୍ଲୀ : ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଓଡ଼ିଶାରେ ଆନ୍ଦୋଳନ ଓ ବିକ୍ଷୋଭ ଥମୁନଥିବା ବେଳେ ଏହାର ତାତି ଦିଲ୍ଲୀରେ ପହଞ୍ଚିଛି। ଯୁବ କଂଗ୍ରେସ ରାଜ୍ୟ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମକର୍ତ୍ତା ଆଜି ଦିଲ୍ଲୀ ଓଡ଼ିଶା ନିବାସସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟକୁ ଘେରଉ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଯୁବ କଂଗ୍ରେସ କର୍ମକର୍ତ୍ତା ମମିତାଙ୍କୁ ନ୍ୟାୟ ପ୍ରଦାନ, ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ତଥା ଗିରଫ ଦାବି କରିଥିଲେ। ଏହି ମାମଲାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ପୋଲିସ ନିରପେକ୍ଷ ତଦନ୍ତ ନକରିବା, ରାଜ୍ୟ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇବା ଏବଂ ପ୍ରମାଣ ନଷ୍ଟ କରାଯିବା ସହ ମୃତକଙ୍କ ପରିବାରକୁ ପ୍ରଭାବିତ କରାଯାଇଥିବା ଆଦି ଅଭିଯୋଗ କରାଯାଇ ଥିଲା। ହତ୍ୟା ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରି ଆବାସିକ କମିସନରଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ରାଜ୍ୟରେ ଆନ୍ଦୋଳନ ଓ ଜନ ଆକ୍ରୋଶ ପ୍ରକାଶ ପାଉଥିବା ବେଳେ ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ଉତ୍ତରଦାୟିତ୍ବ ନିର୍ବାହ କରୁନାହାନ୍ତି କି ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ କରୁନଥିବା ଯୁବ କଂଗ୍ରେସ ରାଜ୍ୟ ସଭାପତି ଡ. ଲେଙ୍କା ପ୍ରତିକ୍ରିୟାରେ କହିଛନ୍ତି। ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆସନ୍ତାକାଲି ଏହି ପ୍ରସଙ୍ଗରେ ଜନ୍ତରମନ୍ତରରେ ଯୁବ କଂଗେସ ପକ୍ଷରୁ ଧାରଣା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଯୁବ କଂଗ୍ରେସ ଏହି ମାମଲାରେ ପୁଲିସର ନିଷ୍କ୍ରିୟତାକୁ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରିବା ସହ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିବ ବୋଲି ଡ. ଲେଙ୍କା କହିଛନ୍ତି। ବିକ୍ଷୋଭ କାର୍ଯ୍ୟକ୍ରମରେ ମହମ୍ମଦ ଅଲିମ, ଜ୍ଞାନେନ୍ଦ୍ର ମହାନ୍ତି, ରମଜାନ ଅଲ୍ଲୀ, ଶେଖ ଗୁଲାମୁହିଦିନ, ମହେଶ୍ବର ପ୍ରଧାନ, ଆର୍ଯ୍ୟବୀର ଲେଙ୍କା, ବସନ୍ତ ପାଢ଼ୀ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ବିଶ୍ବାଳ, ଅମ୍ରିତା ଦାସ, ନିକିତ ପରବିନ, ବଳରାମ ରାଉତ, ସତ୍ୟାନନ୍ଦ ରାଉତ, ବିକ୍ରମ ପଣ୍ଡା, ସର୍ବଜିତ ପଟ୍ଟନାୟକ, ଜ୍ଞାନରଂଜନ ରାଉତ, ସୁରେନ୍ଦ୍ର ପାଢ଼ୀ, ପୃଥ୍ବୀରାଜ ନାୟକ, ରାଧାକାନ୍ତ ଦିଗାଲ, ବିଶ୍ବଜିତ ଲେଙ୍କା, କହ୍ନେୟାଲାଲ ସାବତ, ସୋମନାଥ ପଣ୍ଡା, ବିଭୁତି ଭୂଷଣ ଦଳସିଂରାୟ, ସନ୍ତୋଷ ପାତ୍ର, ଦେବେନ୍ଦ୍ର ପ୍ରସାଦ ସେଠୀ ଓ ସୁଜିତ ସ୍ବାଇଁ ପ୍ରମୁଖ ଯୁବନେତା ସାମିଲ ହୋଇଥିଲେ।
The post ଆବାସିକ କମିସନରଙ୍କ କାର୍ଯ୍ୟାଳୟକୁ ଘେରିଲା ଯୁବ କଂଗ୍ରେସ first appeared on Sambad.from ରାଜନୀତି | Sambad https://ift.tt/3n28Fnd
0 Comments