ବାରିପଦା: ଦୀର୍ଘ ୨୩ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଲଢ଼ି ଆସୁଛି ’ଭଞ୍ଜ ସେନା’। ବେକାରୀମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ଏହି ଅଣ ରାଜନୈତିକ ସଂଗଠନ ଲଢ଼େଇ ଜାରି ରଖିଛି। ଆଜିଯାଏଁ ପ୍ରତ୍ୟେକ ସରକାର ଜିଲ୍ଲାର ପ୍ରଗତି ପ୍ରତି ଆଖି ବୁଜିଦେଇଛନ୍ତି। ବେକାରୀ କମିବାର ନାଁ ଧରୁନଥିବା ବେଳେ ଜିଲ୍ଲାରେ ଅନେକ ସମସ୍ୟା ମୁଣ୍ଡ ଟେକିବା ଏହାକୁ ସୂଚିତ କରୁଛି। ଏହା ଜିଲ୍ଲାବାସୀଙ୍କ ଲାଗି ଅସହ୍ୟ ହୋଇଛି। ଭଞ୍ଜସେନା ପକ୍ଷରୁ କରାଯାଇଥିବା ଦାବିଗୁଡିକ ପୂରଣ ନହେଲେ ସାରା ଜିଲ୍ଲାରେ ଉକ୍ତ ସଂଗଠନର କର୍ମୀ ଓ ସମର୍ଥକମାନେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେନି। ବିକାଶକୁ ଅଣଦେଖା କରିବା ସବୁ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ବୁଧବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛନ୍ତି।

ଦୀର୍ଘ ଦିନ ହେଲା କେନ୍ଦ୍ରରେ ବିଜେପି ସରକାର ଚାଲିଛି। ରାଜ୍ୟରେ ବିଜେଡି ସରକାର ଚାଲିଛି। ଭଞ୍ଜସେନା ପକ୍ଷରୁ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର, ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ସହିତ ବନ୍ୟଜାତ ଦ୍ରବ୍ୟର ଉଚିତ ବଜାରୀକରଣ ମାଧ୍ୟମରେ ଜିଲ୍ଲାର ଲକ୍ଷାଧିକ ବେରୋଜଗାର ଯୁବକ ଯବତୀଙ୍କୁ ରୋଜଗାର ଯୋଗାଇଦେବା, ଜିଲ୍ଲାରେ ନୂତନ ରେଳପଥଗୁଡିକୁ ନିର୍ମାଣ କରିବା, ଅମର୍ଦ୍ଦା ଓ ଦାଣ୍ଡବୋଷ ଏୟାରଷ୍ଟ୍ରିପକୁ ପୁନଃକାର୍ଯ୍ୟକ୍ଷମ କରିବା, ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, କୃଷି କାର୍ଯ୍ୟକୁ ଅଧିକ ଧ୍ୟାନ ଦେବା ସହିତ ଜିଲ୍ଲାର ସାଧାରଣ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ବାବଦରେ ବହୁବାର ସଂଗଠନ ପକ୍ଷରୁ ଆନ୍ଦୋଳନ ହୋଇଛି। ତଥାପି ଉଭୟ ସରକାର ଜିଲ୍ଲାର ବିକାଶକୁ ଅଣଦେଖା କରିବା ସହିତ ଜିଲ୍ଲାରେ କେବଳ ନିଜ ଦଳୀୟ ପତିଆରା ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି। କେବଳ ଭାଷଣବାଜିରେ ବିକାଶକୁ ସୀମିତ ରଖି ନିଜ ଉପସ୍ଥିତି ଜାହିର କରିବାରେ ବ୍ୟସ୍ତ ‌ରହୁଛନ୍ତି। ବିରୋଧୀ ଦଳଗୁଡିକ ବି ସେହି ନୀତି ଆପଣାଉଛନ୍ତି। ତେଣୁ ଏବେ ଆଉ ତାହା ଚଳିବନାହିଁ ବୋଲି ଉକ୍ତ ସଂଗଠନ ପକ୍ଷରୁ କୁହାଯାଇଛି।

ଆଗାମୀ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଜିଲ୍ଲାର ନ୍ୟାଯ୍ୟ ଦାବିକୁ ପୂରଣ କରିବା ଦିଗରେ ଉଭୟ ସରକାର ସରକାରୀ ସ୍ତରରେ ଘୋଷଣା ନକରନ୍ତି ତେବେ ସ୍ଥିତି ଗମ୍ଭୀର ହୋଇପଡ଼ିବ। ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଛାଡି ଦଳୀୟ ଚିହ୍ନକୁ ନେଇ ଜିଲ୍ଲାର ୫୬ ଜିଲ୍ଲା ପରିଷଦ ଜୋନ ନିର୍ବାଚନକୁ ବର୍ଜନ କରାଯିବ। ଭଞ୍ଜସେନାକୁ ସମର୍ଥନ କରିଆସୁଥିବା ହଜାର ହଜାର ବୁଦ୍ଧିଜୀବୀ, ମହିଳା, ଖଟିଖିଆ, ଯୁବଛାତ୍ର ଓ ଦିନ ମଜୁରିଆ ଭୋଟଦାନରୁ ବିରତ ରହିବେ ବୋଲି ଶ୍ରୀ ଜେନା ପ୍ରକାଶିତ ‌ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ଏହି ପରିପ୍ରେକ୍ଷୀରେ ଏକ ଜିଲ୍ଲାସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ବାରିପଦାରେ ଅନୁଷ୍ଠିତ ହେବ ବୋଲି ସଂଗଠନ ପକ୍ଷରୁ ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଜଣାଇଛନ୍ତି।

The post ଭଞ୍ଜସେନା ଭୋଟ ଦେବନି, ବିକାଶକୁ ଅଣଦେଖା ସବୁ ଦଳ ପାଇଁ ମହଙ୍ଗା ପଡ଼ିବ first appeared on Sambad.

from ରାଜନୀତି | Sambad https://ift.tt/3qnMBFX