
ବାରିପଦା : ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ ଦାବି କରି ବୁଧବାର ମୟୂରଭଞ୍ଜ ବିଜେପି ପକ୍ଷରୁ ଏସ୍ପି ଅଫିସ ଘେରାଉବେଳେ ପୁଲିସ ଓ ବିଜେପି କର୍ମୀ ମୁଁହାମୁହିଁ ହେବାସହ ଧସ୍ତାଧସ୍ତି ହୋଇଛି। ଏପରିକି ପୁଲିସ ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି।
ବିଜେପିର ବହୁ ତୁଙ୍ଗ ନେତା ଓ ଶହଶହ କର୍ମୀ ଆଜି ଏକଜୁଟ୍ ହୋଇ ବାରିପଦା ସହରର ମଧୁବନ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସ୍ପି ଅଫିସ୍ଆଡ଼କୁ ମୁହାଁଇ ଥିଲେ। ଏପଟେ ଆଇନ୍ ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍ କରାଯାଇଥିଲା। ତେବେ ବିଜେପି କର୍ମୀମାନେ ବ୍ୟାରିକେଡ୍ ଡେଇଁ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଫଳରେ ଘଟଣାସ୍ଥଳରେ ତ୍ରୀବ ଉତ୍ତେଜନା ପ୍ରକାଶ ପାଇବା ସହ ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିଲେ। ଉତ୍ତ୍ୟକ୍ତ ବିଜେପି କର୍ମୀମାନେ ପୁଲିସ ଉପରକୁ ଅଣ୍ଡାମାଡ଼ ମଧ୍ୟ କରିଥିଲେ।
ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବରିଷ୍ଠ ନେତା ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବଳରାମ ସାହୁ, ବିଜୟ ଦାସ, ପାୟଲ ରାୟ, ଦିନେଶ ଦାସ, ଦେବବ୍ରତ ସାମଲ ପ୍ରମୁଖ ରାଜ୍ୟ ସରକାର ଓ ପୁଲିସର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ଏହି ଘଟଣାରେ ବାରିପଦା ଟାଉନ୍ ଥାନାରେ ୨୦ରୁ ୨୫ ଜଣ ଆନ୍ଦୋଳନକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।
The post ଏସ୍ପି ଅଫିସ ଘେରାଉବେଳେ ତୁମୁଳ କାଣ୍ଡ: ପୁଲିସ -ବିଜେପି କର୍ମୀ ଧସ୍ତାଧସ୍ତି, ଅଣ୍ଡାମାଡ଼ first appeared on Sambad.from ରାଜନୀତି | Sambad https://ift.tt/3F1we5W
0 Comments