ଚଣ୍ଡୀଗଡ଼: ପଞ୍ଜାବ କ୍ୟାବିନେଟ୍‌ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏଏସ୍‌ପି ଦେଓଲଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା କଥା ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ଚନ୍ନୀ ସାମ୍ବାଦିକମାନଙ୍କୁ କହିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ।

ନଭେମ୍ବର ୧ ତାରିଖ ଦିନ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏଏସ୍‌ପି ଦେଓଲ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ଚନ୍ନୀଙ୍କୁ ଉକ୍ତ ଇସ୍ତଫା ପତ୍ର ଦେଇଥିଲେ। ସୂଚନାଯୋଗ୍ୟ, ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ସେତେବେଳେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଥିବା ଅତୁଲ ନନ୍ଦା ମଧ୍ୟ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସେପ୍ଟେମ୍ବର ୨୭ ତାରିଖରେ ୬୧ ବର୍ଷିୟ ଦେଓଲଙ୍କୁ ନିଯୁକ୍ତି ମିଳିଥିଲା। କିନ୍ତୁ, ଏହି ନିଯୁକ୍ତିକୁ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଏବଂ ରାଜ୍ୟର ଅନ୍ୟ କେତେକ କଂଗ୍ରେସ ନେତା ବିରୋଧ କରୁଥିଲେ।

Image Courtesy of India Today

ତେଣୁ, ସିଦ୍ଧୁ ଏଥିରେ ବିଜୟୀ ହୋଇଥିବା କଥା କୁହାଯାଉଛି। କେବଳ ଏତିକି ନୁହେଁ, ସେମାନଙ୍କର ଅନ୍ୟାନ୍ୟ କେତେକ ଦାବିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନୀ ସହମତ ହୋଇଛନ୍ତି। ତଦନୁଯାୟୀ, ୩୬,୦୦୦ କର୍ମଚାରୀଙ୍କ ଚାକିରି ନିୟମିତ କରିବା ସହ ଦୈନିକ ମଜୁରି ଟ. ୪୧୫.୫୯ ବୃଦ୍ଧି କରିବା ପାଇଁ ପଞ୍ଜାବ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ନଭେମ୍ବର ୧୦ ତାରିଖରୁ କାର୍ଯ୍ୟକାରୀ ହୋଇ ମାର୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚନ୍ନୀ ଆହୁରି ମଧ୍ୟ କହିଛନ୍ତି ଯେ, ଇଟାଭାଟିକୁ ଖଣି ନୀତିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ଏବଂ ବ୍ୟବହାରିକ ଟିକସ ମଧ୍ୟ ଉଠାଇ ଦିଆଯାଇଛି।

କ୍ୟାବିନେଟ୍‌ ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ୟୁନିଟ୍‌ ସଭାପତି ନବଜୋତ୍ ସିଂହ ସିଦ୍ଧୁ ଚଣ୍ଡୀଗଡ଼ରେ କେତେଗୁଡ଼ିଏ ବୈଠକ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ କହିଛନ୍ତି।

The post ସିଦ୍ଧୁଙ୍କ ଦାବି ମାନିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ; ପଞ୍ଜାବ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଏଏସ୍‌ପି ଦେଓଲଙ୍କ ଇସ୍ତଫା ଗୃହୀତ first appeared on Sambad.

from ରାଜନୀତି | Sambad https://ift.tt/3F1Ccnc