ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର, ନଭେମ୍ବର ୨୮ ତାରିଖରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେବ ଏବଂ ଏହା ଡିସେମ୍ବର ୨୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି ବୋଲି ସଂସଦର ସଚିବାଳୟ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ସପ୍ତଦଶ ଲୋକସଭାର ସପ୍ତମ ଅଧିବେଶନ ସୋମବାର, ୨୯ ନଭେମ୍ବର, ୨୦୨୧ରେ ଆରମ୍ଭ ହେବ। ସରକାରୀ କାର୍ଯ୍ୟଦିବସ ଅଧୀନରେ ଏହି ଅଧିବେଶନ ଗୁରୁବାର, ଡିସେମ୍ବର ୨୩, ୨୦୨୧ରେ ଶେଷ ହେବାର ସମ୍ଭାବନା ରହିଛି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ରାଜ୍ୟସଭା ମଧ୍ୟ ସମାନ ଆଦେଶ ଜାରି କରଛି।

ଗତ ଶୁକ୍ରବାର ଦିନ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ଗତ ବର୍ଷଠାରୁ କୃଷକମାନେ ବିରୋଧ କରୁଥିବା ତିନିଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେ କହିଥିଲେ ଯେ ସଂସଦର ଶୀତକାଳୀନ ଅଧିବେଶନରେ ଆଇନକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଶେଷ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର, ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଥିବା କୁହାଯାଉଛି।

The post ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ! first appeared on Sambad.

from ରାଜନୀତି | Sambad https://ift.tt/3xeXnzM