
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍ସ୍ଥିତ ସନ୍ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ତେଜୁଥିବାବେଳେ ଆଜି ଏହି ଘଟଣାକୁ ନେଇ ପ୍ରେସମିଟ୍ କରିଛି ଶାସକ ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧାସଳଖ ବିରୋଧୀ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ଆସିଲେ ହିଁ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ଆଉ ନିିର୍ବାଚନ ସରିଗଲେ ଏହି କଥାକୁ ଭୁଲିଯାଆନ୍ତି ବିରୋଧୀ । ନିର୍ବାଚନ ପାଇଁ ବିରୋଧୀମାନେ ଶସ୍ତା ରାଜନୀତି କରନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ତେବେ ୨୦୧୩ ଇତିଶ୍ରୀ ପ୍ରଧାନ ଘଟଣା ଓ ୨୦୧୭ର କୁନ୍ଦୁଲି ଘଟଣାକୁ ଉଦାହରଣ ଦେଇ ବିଜେପି ଓ କଂଗ୍ରେସକୁ ଘେରିଛି ବିଜେଡି । ୨୦୧୪ ସାଧାରଣ ନିର୍ବାଚନ ଓ ବିଜେପୁର-ଉପନିର୍ବାଚନ ପୂର୍ବରୁ ଜାଣିଶୁଣି ବିରୋଧୀ ଏହି ଦୁଇଟି ପ୍ରସଙ୍ଗ ଉଠାଇଥିଲେ । ହେଲେ ନିର୍ବାଚନ ସରିଯିବା ପରେ ଏହି କଥାକୁ ବିରୋଧୀ ଭୁଲି ଯାଇଥିଲେ । କେବଳ ନିର୍ବାଚନ ବୈତରଣୀ ପାର୍ କରିବା ପାଇଁ ବିରୋଧୀ ଏପରି ଶସ୍ତା ରାଜନୀତି କରୁଥିଲେ ବୋଲି ବିଜେଡି କହିଛି ।
ଖାଲି ସେତିକି ନୁହେଁ, ବିରୋଧୀମାନେ ମହିଳାମାନଙ୍କୁ ମୋହରା ସଜାଇ, ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କେବଳ ହୀନ ଓ ଶସ୍ତା ରାଜନୀତି କରୁଛନ୍ତି । ରାଜନୈତିକ ସୁବିଧା ହାସଲ କରିବା ପାଇଁ ଏହି ପ୍ରସଙ୍ଗ ଉଠାନ୍ତି । ହେଲେ ନିର୍ବାଚନ ସରିଲେ ସେ କଥା ସରିଯାଏ । ହେଲେ ସରକାର ସବୁବେଳେ ନାରୀ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥାନ୍ତି ବୋଲି ବିଜେଡି କହିଛି । ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ବିଜେପି ଏବେ ସାରା ଓଡିଶାରେ ନିଜର ବିକ୍ଷୋଭ ଜାରି ରଖିଛି । କେତେକ ଜିଲ୍ଲାରେ ବନ୍ଦ ପାଳନ ମଧ୍ୟ କରାଯାଉଛି । ଆଉ ଏଭଳି ସମୟରେ ପ୍ରେସମିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରିଛି ବିଜେଡି । ଦୁଇଟି ଭିଡିଓ ଜାରି କରି ବିଜେଡି ଏହାର ପ୍ରମାଣ ଦେଇଛି ।
The post ବିଜେପି-କଂଗ୍ରେସକୁ ବିଜେଡିର ଟାର୍ଗେଟ, କହିଲା- ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ first appeared on Sambad.from ରାଜନୀତି | Sambad https://ift.tt/3025pzH
0 Comments