ଭୁବନେଶ୍ବର : ଆଇନଗତ ବିବାଦରେ ଛନ୍ଦି ହୋଇଥିବା କେନ୍ଦ୍ରାପଡ଼ା ପୌରପାଳିକା ଓ ନୂଆପଡ଼ା ଏନ୍ଏସିରେ ନିର୍ବାଚନ ପାଇଁ ବାଟ ଫିଟିଛି। ଆଇନଗତ ବିବାଦ ତୁଟିଲା ପରେ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଉଭୟ ପୌରସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଦୁଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଉଭୟ ସ୍ଥାନରେ ଜିଲ୍ଲାପାଳମାନେ ନଭେମ୍ବର ୨୫ରେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି କରିବେ। ୪ ତାରିଖ ସୁଦ୍ଧା ଲୋକମାନେ ସେମାନଙ୍କ ଆପତ୍ତି, ଅଭିଯୋଗ, ପ୍ରସ୍ତାବ ଦାଖଲ କରିପାରିବେ। ଜିଲ୍ଲାପାଳମାନେ ତାହାର ବିଚାର କରି ଡିସେମ୍ବର ୧୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବେ। ଡିସେମ୍ବର ୧୦ରୁ ଡିସେମ୍ବର ୨୪ ତାରିଖ ମଧ୍ୟରେ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଏହି ବିଜ୍ଞପ୍ତି ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ସିଧାସଳଖ ନଗର ଉନ୍ନୟନ ବିଭାଗକୁ ଜଣାଇବେ। ତାହା ପରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରି ନିର୍ବାଚନ କମିସନ୍‌ଙ୍କୁ ହସ୍ତାନ୍ତର କରିବ।

ଏହି ଦୁଇଟି ପୌରସଂସ୍ଥାକୁ ମିଶାଇ ଏବେ ୧୧୦ଟି ସହରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମଧ୍ୟରେ ରହିଛି ୩ଟି ମହାନଗର ନିଗମ, ୪୮ ପୌରପାଳିକା ଓ ୫୯ଟି ଏନ୍ଏସି। ଅଦାଲତରେ ମାମଲା ଯୋଗୁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଏବଂ ନୟାଗଡ଼ ଜିଲ୍ଲାର ନବଗଠିତ ଓଡ଼ଗାଁ ଏନ୍ଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ। ଏହା ବାଦ୍ ହିନ୍ଦୋଳ ଓ ଅତାବିରା ଏନ୍ଏସିରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ସରିନାହିଁ।

The post ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପୌର ପ୍ରଶାସନ ନିର୍ଦ୍ଦେଶକ: କେନ୍ଦ୍ରାପଡ଼ା, ନୂଆପଡ଼ା ପୌରସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା first appeared on Sambad.

from ରାଜନୀତି | Sambad https://ift.tt/3kFoJdj