
ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ
ବିଜେପି-ବିଜେଡି କର୍ମୀ ଧସ୍ତାଧସ୍ତି
ଝାରସୁଗୁଡ଼ା : ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ବିରୋଧ ପ୍ରଦର୍ଶନ ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ କଳାପତାକା ପ୍ରଦର୍ଶନ ସହିତ ଅଣ୍ଡାମାଡ଼ ବି କରାଯାଉଛି। ଏହିଭଳି ଏକ ପରିସ୍ଥତିରେ ଏଠାରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି, ତାଙ୍କ ଦଳ ବିଜେପିର କର୍ମୀମାନେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଓ ବିଜେଡି କର୍ମୀଙ୍କ ସହ ଧସ୍ତାଧସ୍ତି କରିଥିବାବେଳେ ଶ୍ରୀ ପୂଜାରୀଙ୍କ ଉପସ୍ଥିତି କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂ। ତାଙ୍କ ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସାଂସଦ ଶ୍ରୀ ପୂଜାରୀ। କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂ ସର୍କିଟ ହାଉସ ରାସ୍ତାରେ ଯାଉଥିବାବେଳେ ୪ ଜଣ ବିଜେପି କର୍ମୀ ସେମାନଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ବିଜେଡି କର୍ମୀଙ୍କ ସହିତ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପୁଲିସ୍ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ବଜିତ ଷଡ଼ଙ୍ଗୀ, ପୁରୁଷୋତ୍ତମ ଥିରାନି, କୃଷ୍ଣମୁରାରୀ ସିଂ, ଜିଲ୍ଲା ସଂପାଦକ ବିମଳେନ୍ଦୁ ଭୋଳଙ୍କୁ ଉଠାଇ ନେଇଥିଲା। ଏହାପରେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କ ସମର୍ଥକମାନଙ୍କୁ ନେଇ ଥାନା ଆଗରେ ଦୀର୍ଘସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହିସମୟରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଥିଲେ।
ବିଜେପି କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ଏହିଭଳି ବିରୋଧ ଜାରି ରଖିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପୂଜାରୀଙ୍କ ଉପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ସାଂସଦ ଶ୍ରୀ ପୂଜାରୀ ଏହି ସଭାରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବାରୁ ସେ ଯୋଗଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି; ଡିଏମ୍ଏଫ୍, ସିଏସ୍ଆର୍ ପାଣ୍ଠି ବିନିଯୋଗରେ ଉଦ୍ଘାଟିତ ହୋଇଥିବା ଆଜିର କିଛି ପ୍ରକଳ୍ପ ପାଇଁ ସେ ଦୀର୍ଘଦିନରୁ ଉଦ୍ୟମ କରି ଆସୁଥିବାରୁ ଆଜିର କାର୍ଯ୍ୟକ୍ରମରେ ସେ ଯୋଗଦେବା ଜରୁରି ଥିଲା। ଅନ୍ୟପକ୍ଷେରେ, ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାଂସଦ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ନେଇ ଯୋଗଦାନ କରିଥିବାରୁ ଏନେଇ ତାଙ୍କୁ ପଚାରିଲେ ସେ ସଠିକ୍ କଥା କହିପାରିବେ। ଆମେ ବିଜେପିର ନିଷ୍ପତ୍ତି ଅନୁଯାୟୀ ବିରୋଧ କରୁଛୁ ବୋଲି କହିଥିଲେ।
ଏହିଭଳି ଚର୍ଚ୍ଚା ଭିତରେ ବି ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ। ସେ କହିଛନ୍ତି, ଜିଲ୍ଲାର ବିକାଶ ଆମର ମୂଳମନ୍ତ୍ର । ଜନସାଧାରଣଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ଦଳମତ ଉର୍ଦ୍ଧ୍ବରେ ରହି ବିକାଶ ରାଜନୀତିକୁ ଅଗ୍ରାଧିକାର ଦିଆଯିବା ଉଚିତ। ତେବେ, ଆଜିର ବିଜେପି- ବିଜେଡି ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବାବେଳେ ବହୁ ବିଜେପି କର୍ମୀ ବିଭାଜିତ ହୋଇଥିବା ଲକ୍ଷ୍ୟ କରାଯାଇଛି।
The post ଏପଟେ କୋଳାକୋଳି, ସେପଟେ ବିରୋଧ first appeared on Sambad.from ରାଜନୀତି | Sambad https://ift.tt/3wNo26x
0 Comments