ବାରିପଦା: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ବିରୋଧ କରିଛି ଜେଏମଏମ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ଥିବା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ବଣ୍ଟନକୁ ସମାଲୋଚନା କରିଛି ଜେଏମଏମ। ଏହାକୁ ବିରୋଧ ସଦୃଶ ଦଳ ପକ୍ଷରୁ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳା ବ୍ୟାଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବା ସହ  ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଦଳର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କାର୍ଡ ବଣ୍ଟନକୁ ବିଜେପି ପରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ପ୍ରତିବାଦର ସ୍ବର ଉଠାଇଛି । ଜିଲ୍ଲାରେ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ନସଜାଡି ସ୍ବାସ୍ଥ୍ୟ କାର୍ଡ ବାଣ୍ଟି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଘରୋଇକରଣ କରିବାର ବ୍ୟବସ୍ଥା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଗରୀବ ଆଦିବାସୀ ଲୋକଟିଏ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚିବାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ ।
ଏହି କାର୍ଡ ର ସୁବିଧା ନେବା ପାଇଁ ଦୁରସ୍ଥାନକୁ ଯାଇ ବେସରକାରୀ ଡାକ୍ତରଖାନା ପହଞ୍ଚିବା ଏବଂ ଚିକିତ୍ସିତ ହେବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ଦୀର୍ଘ ୨୧ ବର୍ଷ ଶାସନ କରିବା ପରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ଯୋଗାଇବାରେ ବିଫଳ ହୋଇଥିବା ସରକାର କାର୍ଡ ବଣ୍ଟନ ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓଡିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ । ଏଣୁ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ବଣ୍ଟନକୁ  ଜେ.ଏମ୍.ଏମ୍. ଦଳ ବିରୋଧ କରିବା ସହ ଆସନ୍ତାକାଲି ଦିନ ୧୧ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକଗୁଡିକରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳା ବ୍ୟାଚ୍ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବବୋଲି ସେ କହିଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କଲା ଜେଏମଏମ, କଳା ବ୍ୟାଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବ ଦଳ first appeared on Sambad.

from ରାଜନୀତି | Sambad https://ift.tt/3pns2cg