
ଯାଜପୁର/ବରୀ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ଦଳବଦଳ ରାଜନୀତି ଜୋରଦାର ହୋଇଛି। ବୁଧବାର ଦିନ ବରୀ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ବିଶ୍ବରଞ୍ଜନ ମଲ୍ଲିକଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟା (୨୪ ନମ୍ବର) ରଞ୍ଜିତା ସାମଲ, ବରୀ ବ୍ଲକ୍ ଅଧ୍ୟକ୍ଷା ସୁବାସିନୀ ଶର୍ମା ଓ ଉପାଧ୍ୟକ୍ଷ ରମେଶ ଭଞ୍ଜ ପ୍ରମୁଖ ବିଜେପିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ରରେ ୪ଜଣ ନେତା ଦସ୍ତଖତ କରି ବିଜେପି ରାଜ୍ୟ ସଭାପତିଙ୍କୁ ଆଜି ଜଣାଇଦେଇଛନ୍ତି। ବିଶ୍ବରଞ୍ଜନ ବିଜେଡିରେ ଯୋଗଦେବେ ବୋଲି ବହୁଦିନରୁ ଜିଲ୍ଲାରେ ଚର୍ଚ୍ଚା ହୋଇଆସୁଥିଲା। ଏବେ ବିଜେଡିରେ ସାମିଲ୍ ନେଇ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।
ବିଶ୍ବରଞ୍ଜନ ୨୦୧୯ ସଧାରଣ ନିର୍ବାଚନରେ ବରୀରୁ ବିଜେପି ପ୍ରାର୍ଥୀ ହୋଇ ୪୦୬୨ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ସୁନନ୍ଦା ଦାସଙ୍କ ଠାରୁ ହାରିଥିଲେ। ଏହାପୂର୍ବରୁ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରୁ ବଞ୍ଚିତ ହୋଇ ବିଶ୍ବରଞ୍ଜନ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଠାରୁ ୭୧୭୩ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ଏପରିକି ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବିଶ୍ବଙ୍କୁ ବିଜେଡିରେ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସେତେବେଳେ ବିଜେପିର ସ୍ଥିତି ଓ ସମର୍ଥନକୁ ଲକ୍ଷ୍ୟ କରି ଦଳ ଛାଡ଼ି ନଥିଲେ। ତେବେ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ପଞ୍ଚାୟତ ନିର୍ବାଚନରେ ତୃଣମୂଳରେ ନିଜ ସଙ୍ଗଠନକୁ ଶାଣିତ କରିବା ପାଇଁ ବିଶ୍ବଙ୍କ ଟିମ୍ ବିଜେଡି ମୁହାଁ ହୋଇଛି। ଆଜି ବିଶ୍ବଙ୍କ ସହିତ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଭଞ୍ଜ ଓ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସାମଲ ବିଜେପିରୁ ଇସ୍ତଫା ଦେଇଛନ୍ତି। ଖୁବ୍ଶୀଘ୍ର ବ୍ଲକ୍ର ୨୫ରୁ ୩୦ଜଣ ସରପଞ୍ଚ ଓ ସମିତିସଭ୍ୟ ବିଜେପିରୁ ଇସ୍ତଫା ଦେବେ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଗତ ୫ବର୍ଷ ଧରି ବରୀରେ ବିଜେପି ସଙ୍ଗଠନକୁ ନିଜ ନିୟନ୍ତ୍ରଣରେ ରଖି ଆସିଥିବା ବିଶ୍ବରଞ୍ଜନ ଗୋଷ୍ଠୀ ସମୂହ ଇସ୍ତଫା ଦେବା ଘଟଣା ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଧର୍ମଶାଳାର ୩ ଥର ବିଜେପି ବିଧାୟକ ପ୍ରାର୍ଥୀ ତୁଷାର ପରିଡ଼ା ଓ ତାଙ୍କ ସମର୍ଥକମାନେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳୀର ମୁଖ୍ୟ ତଥା ବିଧାୟକ ପ୍ରାର୍ଥୀ ଦଳ ଛାଡ଼ିବା ଘଟଣା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି।
The post ବରୀରେ ବିଜେପି ଗଡ଼ ଭୁଶୁଡ଼ିଲା; ବିଶ୍ୱରଞ୍ଜନଙ୍କ ସହ ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଦଳ ଛାଡ଼ିଲେ first appeared on Sambad.from ରାଜନୀତି | Sambad https://ift.tt/2Z75iCD
0 Comments