
ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ କେନ୍ଦ୍ରର ତିନିଟି କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା କରିବା ପାଇଁ ସେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ।
ଆଜି (ବୁଧବାର) ସନ୍ଧ୍ୟାରେ ଅମରିନ୍ଦର ସିଂ କହିଛନ୍ତି ଯେ ଆସନ୍ତାକାଲି ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଉଛି ଏବଂ ୨୫ରୁ ୩୦ ଜଣ କୃଷି ବିଶେଷଜ୍ଞ ମଧ୍ୟ ମୋ ସହିତ ଯିବେ। ମୁଁ ଭାବୁଛି ମୁଁ ପଞ୍ଜାବର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ କୃଷିବିଶେଷଜ୍ଞ ହୋଇଥିବାରୁ ମୁଁ ସମସ୍ୟାର ସମାଧାନ ଖୋଜିବାରେ ସାହାଯ୍ୟ କରିପାରିବି। ସେ କହିଛନ୍ତି ଯେ କୃଷକଙ୍କ ପ୍ରସଙ୍ଗରେ ସେ ଅତୀତରେ ତିନିଥର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ।
କୃଷକଙ୍କ ଆନ୍ଦୋଳନର ସମାଧାନ ପାଇଁ ପୂର୍ବରୁ କୌଣସି ସୂତ୍ର ବାହାରି ପାରି ନଥିବା ବେଳେ ଏଥର ଆଲୋଚନା ସମୟରେ କିଛି ଉଭା ହେବ, କାରଣ ଉଭୟ ପକ୍ଷ- କେନ୍ଦ୍ର ସରକାର ତଥା କୃଷକମାନେ- କୃଷି ଆଇନ ଦ୍ୱାରା ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୌଣସି କୃଷକ ନେତାଙ୍କୁ ଭେଟି ନାହାଁନ୍ତି। ଉଲ୍ଲେଖଯୋଗ୍ୟ, ତିନିଟି ନୂତନ କୃଷି ଆଇନର ରଦ୍ଦ ଦାବିକରି ବହୁ ସଂଖ୍ୟକ କୃଷକ, ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ୟୁପିରୁ ଗତ ବର୍ଷ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଡେରା ପକାଇବା ସହ ବିକ୍ଷୋଭ ଆନ୍ଦେଳନ ଚଳାଇଛନ୍ତି।
ଆଜି ନିଜର ଏକ ନୂତନ ରାଜନୈତିକ ଦଳ ଗଠନ କରିବା ପାଇଁ ଘୋଷଣା କରିବାର କିଛି ଘଣ୍ଟା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଏପ୍ରକାର ବୟାନକୁ ନେଇ ଏବେ ରାଜନୖତିକ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।
The post କୃଷକ ଆନ୍ଦୋଳନ: ସମାଧାନର ସୂତ୍ର ବାହାର କରିପାରିବେ କି ଅମରିନ୍ଦର ସିଂ; ଗୁରୁବାର ଭେଟିବେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ first appeared on Sambad.from ରାଜନୀତି | Sambad https://ift.tt/3Clsr2z
0 Comments