ନୂଆଦିଲ୍ଲୀ : ଜେଏନ୍‌ୟୁରେ ବିବାଦୀୟ ଛାତ୍ର ଆନ୍ଦୋଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସର୍ବଦା ‘ଟୁକ୍‌ଡ଼େ-ଟୁକ୍‌ଡ଼େ ଗ୍ୟାଙ୍ଗ୍‌’ କହି ଆସୁଥିବା ବେଳେ ଏବେ କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବାପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି। କହ୍ନେୟା କହିଛନ୍ତି, ବିଜେପି ‌ମତେ ‘ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗ୍‌’(ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଥିବା ଗ୍ୟାଙ୍ଗ୍‌) କହୁଛି ଏବଂ ମୁଁ ବିଜେପିର ‘ଟୁକ୍‌ଡ଼େ-ଟୁକ୍‌ଡ଼େ ’ କରିବି । ବିଜେପି ଗାନ୍ଧିଙ୍କୁ ନୁହେଁ ଗଡ‌ସେଙ୍କୁ ଜାତିର ଜନକ ବୋଲି ବିବେଚନା କରୁଛି ବୋଲି ମତ ଦେଇ କହ୍ନେୟା କହିଛନ୍ତି ଏଭଳି ମାନସିକତାକୁ ବିରୋଧ କରିବାକୁ ପଡ଼ିବ। ଏଥିପାଇଁ କଂଗ୍ରେସ ଦଳକୁ ସବୁଠୁ ସୁଦୃଢ଼ ହେବାକୁ ପଡ଼ିବ। ଯେଉଁମାନେ ‌ କେବଳ ନିଜର ରାଜନୈତିକ କ୍ୟାରିୟର କଥା ଚିନ୍ତା କରୁଛନ୍ତି ସେମାନେ ଆଜି ବିଜେପିରେ ଯୋଗ ଦେଉଛନ୍ତି ବୋଲି କହ୍ନେୟା କହିଛନ୍ତି। କଂଗ୍ରେସ ନେତୃତ୍ବକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି। ଯେତେବେଳେ ଦେଶର ସର୍ବବୃହତ୍‌ ବିରୋଧୀ ଦଳ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସାମ୍ନା କରିବ।

କ‌ହ୍ନେୟା କୁମାର ପାଇଁ କଂଗ୍ରେସ ଧ୍ବଂସ ଆଡ଼କୁ ଯିବ: ଆର୍‌ଜେଡି
ମୁଜାଫରପୁର : କଂଗ୍ରେସରେ ଯୁବନେତା କହ୍ନେୟା କୁମାରଙ୍କ ଯୋଗଦାନକୁ ବିହାରର ମୁଖ୍ୟ ବିରୋଧୀ ଦଳ ଆର୍‌ଜେଡି ତୀବ୍ର କଟାକ୍ଷ କରିଛି। ଆର୍‌ଜେଡି କହିଛି ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ଅନ୍ୟ ଜଣେ ନବଜୋତ ସିଂହ ସିଦ୍ଧୁ ଯିଏ କି କଂଗ୍ରେସ ଦଳକୁ ଧ୍ବଂସ କରିଦେବେ। କଂ‌ଗ୍ରେସକୁ ଏକ ବୁଡ଼ି ଯାଉଥିବା ଡଙ୍ଗା କହି ବରିଷ୍ଠ ଆର୍‌ଜେଡି ନେତା ଶିବାନନ୍ଦ ତିୱାରୀ କହିଛନ୍ତି, କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବାଦ୍ବାରା ଏହା ଦଳର କିଛି କଲ୍ୟାଣ କରିବ ନାହିଁ ବରଂ ଧ୍ବଂସ କରିଦେବ। କହ୍ନେୟା କୁମାର ଭଳି ନେତାଙ୍କ ପାଇଁ କଂଗ୍ରେସର ଆଉ କିଛି ଭବିଷ୍ୟତ ରହିବ ନାହିଁ ବୋଲି ସେ କହିଛନ୍ତି।

The post ମୁଁ ବିଜେପିର ‘ଟୁକ୍‌ଡ଼େ ଟୁକ୍‌ଡ଼େ’ କରିବି: କହ୍ନେୟା କୁମାର first appeared on Sambad.

from ରାଜନୀତି | Sambad https://ift.tt/3AXzRrX