ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାକୁ ଆହ୍ଵାନ ଦେଇ ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ଵାଇ.ଏସ୍‌. ରାଜଶେଖର ରେଡ୍ଡୀଙ୍କ ଝିଅ ଓ୍ଵାଇ.ଏସ୍‌. ଶର୍ମିଲା ସମଗ୍ର ତେଲେଙ୍ଗାନା ପରିକ୍ରମା କରିବା ଲାଗି ୪୦୦୦ କିଲୋମିଟର୍‌ ପଦଯାତ୍ରା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୩ରେ ତାଙ୍କ ବାପା ମଧ୍ୟ ପଦଯାତ୍ରା କରିଥିଲେ।

‘ତେଲେଙ୍ଗାନା ରାଷ୍ଟ୍ର ସମିତି’କୁ କ୍ଷମତାରୁ ହଟାଇବା ଅଭିଯାନରେ ଗତ ବୁଧବାର ଦିନ ୪୭ ବର୍ଷୀୟ ଶର୍ମିଲା ପଦଯାତ୍ରା ଆରମ୍ଭ କରିଛନ୍ତି। ଦୈନିକ ୧୨ ରୁ ୧୫ କିଲୋମିଟର୍‌ ଚାଲି ଆସନ୍ତାବର୍ଷ ସୁଦ୍ଧା ପଦଯାତ୍ରା ଶେଷ କରିବାକୁ ସେ ଯୋଜନା କରିଛନ୍ତି।

ପିତାଙ୍କ ଜନ୍ମବାର୍ଷିକୀ ଜୁଲାଇ ୮ ତାରିଖ ଦିନ ‘ଓ୍ଵାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ ସ୍ଥାପନ କରିଥିବା ଶର୍ମିଲା ଅଭିଯୋଗ କରିଛନ୍ତି ଯେ, ତେଲେଙ୍ଗାନା ଗଠନ ହେବାଦ୍ୱାରା କେବଳ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପରିବାରବର୍ଗ ଲାଭବାନ ହୋଇଛନ୍ତି। ଗତ ୭ ବର୍ଷ ହେବ ୭ ହଜାର କୃଷକ ଆତ୍ମହତ୍ୟା କଲେଣି, ଅନେକ ବ୍ୟକ୍ତି କର୍ମସଂସ୍ଥାନ ହରାଇଲେଣି ଏବଂ ବିଜ୍ଞାପିତ ହୋଇଥିବା ୧.୯୦ ଲକ୍ଷ ଚାକିରି ଦିଆଗଲା ନାହିଁ।

Image Courtesy of NDTV

୨୦୧୩ରେ ଭାଇ ଜଗନ ମୋହନ ରେଡ୍ଡୀ ଜେଲ୍‌ରେ ଥିବାବେଳେ ‘ଓ୍ଵାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟି’ର ନେତ୍ରୀ ହୋଇଥିବା ଶର୍ମିଲା ୩୦୦୦ କିଲୋମିଟର୍‌ ପଦଯାତ୍ରା କରିଥିଲେ। ସୂଚନାଯୋଗ୍ୟ, ସମ୍ପ୍ରତି ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ଜଗନଙ୍କ ‘ଓ୍ଵାଇଏସ୍‌ଆର୍‌ କଂଗ୍ରେସ’ ରାଜନୈତିକ କାର୍ଯ୍ୟକଳାପରେ ଶର୍ମିଲାଙ୍କ ଠାରୁ ଦୂରେଇ ରହିଛି।

କିନ୍ତୁ, ତାଙ୍କ ମାଆ ଶର୍ମିଲାଙ୍କୁ ସମର୍ଥନ କରିବା ସହ ପଦଯାତ୍ରାର ଶୁଭାରମ୍ଭ କରାଇବା ଅବସରରେ ସର୍ବସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ, ସେମାନେ ଶର୍ମିଲାଙ୍କୁ ତେଲେଙ୍ଗାନାର ସନ୍ତତି ଭାବେ ସମର୍ଥନ କରନ୍ତୁ।

ପଦଯାତ୍ରା ସମୟରେ ଶର୍ମିଲା ବ୍ୟକ୍ତିଗତ ଭାବେ ଗ୍ରାମବାସୀମାନଙ୍କ ସହ ଆଳାପ ଆଲୋଚନା କରୁଛନ୍ତି।

The post କେ.ସି.ଆର୍‌.ଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାଲେଞ୍ଜ୍‌ କରି ଜଗନ ରେଡ୍ଡୀଙ୍କ ଭଉଣୀଙ୍କ ୪୦୦୦ କିଲୋମିଟର ତେଲେଙ୍ଗାନା ପଦଯାତ୍ରା first appeared on Sambad.

from ରାଜନୀତି | Sambad https://ift.tt/3m59smY