
ନୂଆଦିଲ୍ଲୀ: ଆମେ ଏକତ୍ର ହୋଇ ଗୋଆକୁ ନୂଆ କରି ଗଢ଼ି ତୋଳିବା ବୋଲି ଦୁଇ ଦିନିଆ ଗସ୍ତ ପୂର୍ବରୁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ବ୍ୟକ୍ତିବିଶେଷ, ସଂସ୍ଥାନ ଏବଂ ରାଜନୈତିକ ଦଳମାନଙ୍କୁ ଆହ୍ଵାନ ଦେଇଛନ୍ତି।
ଟୁଇଟ୍ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ଗତ ୧୦ ବର୍ଷ ହେବ ଗୋଆବାସୀ ଯଥେଷ୍ଟ ଭୋଗିଲେଣି। ୨୮ ତାରିଖ ଦିନ ପ୍ରଥମ ଗୋଆ ଗସ୍ତ ପାଇଁ ପ୍ରସ୍ତୁତି କରୁଥିବା ବେଳେ ‘ବିଜେପି’ ଏବଂ ତା’ର ବିଭାଜନକାରୀ ‘ଆଜେଣ୍ଡା’କୁ ପରାହତ କରିବା ପାଇଁ ଏକତ୍ର ହେବାକୁ ମୁଁ ସମସ୍ତ ବ୍ୟକ୍ତିବିଶେଷ, ସଂସ୍ଥାନ ଏବଂ ରାଜନୈତିକ ଦଳଙ୍କୁ ଆହ୍ଵାନ ଜଣାଉଛି।
ଆମେ ଏକତ୍ର ହୋଇ ଗୋଟାଏ ନୂତନ ସରକାର ଗଠନ କରି ଗୋଆରେ ନୂତନତାର ଅୟମାରମ୍ଭ କରିପାରିବା। ସେ ସରକାର ବାସ୍ତବରେ ଗୋଆବାସୀଙ୍କଦ୍ୱାରା ଗଠନ କରାଯାଇଥିବ ଏବଂ ସେମାନଙ୍କର ଆକାଙ୍କ୍ଷା ଚରିତାର୍ଥ କରିବାକୁ ପ୍ରତିବଦ୍ଧ ଥିବ।
ଆସନ୍ତା ବର୍ଷ ପ୍ରାରମ୍ଭରେ ୪୦ ଆସନବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ଅକ୍ଟୋବର ୨୮ ତାରିଖରେ ଦୁଇଦିନିଆ ଗୋଆ ଗସ୍ତରେ ବାହାରୁଛନ୍ତି।
କିନ୍ତୁ, ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ଅନ୍ୟ କୌଣସି ଦଳ ସହ ମେଣ୍ଟ କରାଯିବ ନାହିଁ ବୋଲି ‘ତୃଣମୂଳ କଂଗ୍ରେସ’ର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ପୂର୍ବରୁ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ରାଜ୍ୟର ଛୋଟ ଛୋଟ ରାଜନୈତିକ ସଙ୍ଗଠନର ନେତାମାନଙ୍କୁ ଭେଟିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ନିକଟ ଅତୀତରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଲୁଇଜିହ୍ନୋ ଫଲିରୋ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିଲେ।
ମମତାଙ୍କ ଗୋଆ ଗସ୍ତ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ‘ବିଜେପି’ର ରାଜ୍ୟ ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଗୋଆର ପାଗ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ। ବୁଲାବୁଲି କରିବା ପାଇଁ ବାନାର୍ଜୀ ସେଠାକୁ ଯାଉଛନ୍ତି।
The post ଆମେ ଏକତ୍ର ହୋଇ ଗୋଆକୁ ନୂଆ କରି ଗଢ଼ି ତୋଳିବା: ମମତା ବାନାର୍ଜୀ first appeared on Sambad.from ରାଜନୀତି | Sambad https://ift.tt/3Gc8RrD
0 Comments