
ନୂଆଦିଲ୍ଲୀ : ପଂଜାବ କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ିବାକୁ ଘୋଷଣା କରିବାପରେ ଏହାକୁ ନେଇ ପଂଜାବ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସର ବରିଷ୍ଠ ନେତାମାନେ ଅମରିନ୍ଦରଙ୍କୁ ବୁଝାଇବାରେ ବିଫଳ ହୋଇଥିବା ବେଳେ ଶୁକ୍ରବାର ଦିନ କଂଗ୍ରେସ ଏବଂ କ୍ୟାପଟେନ୍ଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।
କଂଗ୍ରେସ ଅମରିନ୍ଦରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣିଛି । ଅମରିନ୍ଦର ବିଜେପି ନେତାମାନଙ୍କୁ ସହଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାୱତ କହିଛନ୍ତି, କଂଗ୍ରେସ ସବୁବେଳେ କ୍ୟାପଟେନ ଅମରିନ୍ଦର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନ ଦେଇ ଆସିଛି। ଅମରିନ୍ଦରଙ୍କୁ ଅପମାନ ଦିଆଯାଇଥିବା ବିଷୟକୁ ସେ ଭିତ୍ତିହୀନ କହିଛନ୍ତି। ଅମରିନ୍ଦର ଦଳର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ସେ ବିଜେପିକୁ ସହଯୋଗ କରୁଛନ୍ତି ବୋଲି ରାୱତ କହିଛନ୍ତି। ପାର୍ଟି ହାଇକମାଣ୍ଡ୍ ପଂଜାବ ସଙ୍କଟର ସମାଧାନ ପାଇଁ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଏହି କମିଟି ସଙ୍କଟର ସମାଧାନ ପାଇଁ ୧୮ ସୂତ୍ର ପ୍ରଦାନ କରିଥିଲେ। କିନ୍ତୁ ଏଥିରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ। ରାୱତ କହିଛନ୍ତି, ପଂଜାବରେ ୪୩ କଂଗ୍ରେସ ବିଧାୟକ ସିଏଲ୍ପି ବୈଠକ ଦାବି କରିଥିଲେ । କିନ୍ତୁ ଅମରିନ୍ଦର ଏଥିରେ ରାଜି ହୋଇନଥିଲେ। ଅମରିନ୍ଦର ତାଙ୍କ ବାସଭବନରୁ ଉଭୟ ସରକାର ଏବଂ ଦଳର ପରିଚାଳନା କରୁଥିଲେ। ସଚିବାଳୟରେ ତାଙ୍କର ଅନୁପସ୍ଥିତି ନେଇ କେହି କେବେ ପ୍ରଶ୍ନ କରିନାହାନ୍ତି। ଅମରିନ୍ଦରଙ୍କୁ କେବେ ଅପମାନ ଦିଆଯାଇନି ବୋଲି ରାୱତ କହିଛନ୍ତି। ଅମରିନ୍ଦର ନିକଟରେ ଦେଇଥିବା ଟିପ୍ପଣୀରୁ ଜଣାପଡ଼ୁଛି ଯେ, ସେ ଖୁବ୍ ଚାପରେ ଅଛନ୍ତି। ସେ ଏ ଦିଗରେ ପୁନଃ ଚିନ୍ତା କରିବା ଉଚିତ୍। ପ୍ରତ୍ୟକ୍ଷରେ ହେଉ କିମ୍ବା ପରୋକ୍ଷରେ ହେଉ ଅମରିନ୍ଦର ବିଜେପିକୁ ସହଯୋଗ କରିବା ଉଚିତ୍ ନୁହେଁ ବୋଲି ରାୱତ କହିଛନ୍ତି।
ରାୱତଙ୍କ ଟିପ୍ପଣୀର କଡ଼ା ଜବାବ ଦେଇ ଅମରିନ୍ଦର କହିଛନ୍ତି, ରାୱତ ଡାହା ମିଛ କହି ବିଭ୍ରାନ୍ତି କରୁଛନ୍ତି। ମତେ ଯେଉଁ ଅପମାନ ଦିଆଯାଇଛି ତାହା ସାରା ବିଶ୍ବ ଦେଖିଛି। ଯଦି ଏହା ଅପମାନ ନଥିଲା ତେବେ କ’ଣ ଥିଲା ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି। ଅମରିନ୍ଦର କହିଛନ୍ତି, କଂଗ୍ରେସ ପ୍ରତି ବିଶ୍ବସନୀୟତା ମୋର ଏକମାତ୍ର ଚାପ ଥିଲା ଏବଂ ଏଥିରୁ ମୁଁ ଏବେ ମୁକ୍ତ ହେବାକୁ ଯାଉଛି।
The post କ୍ୟାପଟେନ ବନାମ କଂଗ୍ରେସ: ଅମରିନ୍ଦରଙ୍କ ବିରୋଧରେ ପାଲଟା ଅଭିଯୋଗ first appeared on Sambad.from ରାଜନୀତି | Sambad https://ift.tt/3ipteYg
0 Comments