ନୂଆଦିଲ୍ଲୀ : ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଦୀପ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ସହିତ ରାହୁଲଙ୍କ ତୋଗଲକ ଲେନ୍‌ସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ତିନି ନେତା ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଓଡ଼ିଶାର ଅନେକ ପ୍ରସଙ୍ଗ ଆଲୋଚାରେ ସ୍ଥାନ ପାଇଥିଲା ବୋଲି ପ୍ରଦୀପ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ଆଗାମୀଦିନରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଶ୍ରୀ ଗାନ୍ଧୀ ଯୁବନେତା ଶ୍ରୀ ମାଝୀଙ୍କ ଠାରୁ ମତାମତ ଲୋଡ଼ିଥି‌‌ଲେ। ବିଜେଡିରେ ପ୍ରଦୀପଙ୍କ ମିଶିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ପରେ ରାହୁଲଙ୍କ ଠାରୁ ଡକରା ପାଇ ପ୍ରଦୀପ ଆଜି ଦିଲ୍ଲୀରେ ପହଞ୍ଚିଥିଲେ। ଆଲୋଚନା ବେଳେ ପ୍ରଦୀପଙ୍କ ବିଜେଡିରେ ମିଶିବାକୁ ନେଇ ଗତ କିଛି ମାସ ଧରି ଚାଲିଥିବା ଚର୍ଚ୍ଚା ନେଇ ଶ୍ରୀ ଗାନ୍ଧୀଙ୍କୁ ଯୁବ ନେତା ଶ୍ରୀ ମାଝୀ ସ୍ପଷ୍ଟୀକରଣ ଦେଇଥିବା କୁହାଯାଉଛି। ରାଜ୍ୟ ରାଜନୀତି ଓ ଜାତୀୟ ରାଜନୀତି ପ୍ରସଙ୍ଗରେ ଶ୍ରୀ ଗାନ୍ଧୀ ଓ ଶ୍ରୀ ମାଝୀଙ୍କ ସହିତ ଆଲୋଚନା କରିଥିବା ବେଳେ ତାଙ୍କ ଅସନ୍ତୋଷର କାରଣ ସଂପର୍କରେ ମଧ୍ୟ ପ୍ରଶ୍ନ କରିଥିବା ଜଣାପଡ଼ିଛି। ଆଗାମୀ ଦିନରେ ପ୍ରଦୀପଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବାକୁ ନେଇ ରାହୁଲ ଆଲୋଚନା ବେଳେ କହିଥିବା ଜଣାପଡ଼ିଛି। ପ୍ରଦୀପଙ୍କ ସହିତ ସିଧାସଳଖ ବୈଠକ କରିବା ଅବସରରେ ଓଡ଼ିଶାରେ କଂଗ୍ରେସ ସଂଗଠନକୁ କିଭଳି ଶକ୍ତିଶାଳୀ କରାଯିବ ସେ ନେଇ ରାହୁଲ କିଛି ଗୁରୁମନ୍ତ୍ର ମଧ୍ୟ ଦେଇଥିବା ସୂଚନା ମିଳିଛି।

ବୈଠକ ପରେ ପ୍ରଦୀପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କର ବି‌ଜେଡିରେ ମିଶିବା ନେଇ ଯେଉଁ ଆଲୋଚନା ହେଉଥିଲା ସେହି ଆଲୋଚନାର ଅନ୍ତ ଘଟିଛି। ସେ କଂଗ୍ରେସରେ ଅଛନ୍ତି ଏବଂ ଆଗକୁ ମଧ୍ୟ କଂଗ୍ରେସରେ ରହିବେ। ବୈଠକରେ ପିସିସି ପରିବର୍ତ୍ତନ କିମ୍ବା ପିପିଲି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ପ୍ରଦୀପ କହିଛନ୍ତି।

The post କଂଗ୍ରେସରେ ଅଛି, ରହିବି: ପ୍ରଦୀପ first appeared on Sambad.

from ରାଜନୀତି | Sambad https://ift.tt/3Fcz60A