ନୂଆଦିଲ୍ଲୀ: ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆସନ୍ତା ୨୮ରେ କଂଗ୍ରେସରେ ଯୋଗ ଦେଇପାରନ୍ତି। ଇତିମଧ୍ୟରେ କହ୍ନେୟା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି କଂଗ୍ରେସରେ ଯୋଗଦାନ ନେଇ ସବିଶେଷ ଆଲୋଚନା କରିଥିବା ଜାଣିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ଖୁବଶୀଘ୍ର କହ୍ନେୟା କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି କଂଗ୍ରେସ ପକ୍ଷରୁ ମଧ୍ୟ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବା ନେଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମାନସମନ୍ଥନ ଚାଲଥିବା କୁହାଯାଉଛି।

ସେହିଭଳି ଆସନ୍ତାବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନିଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରି ଗୁଜୁରାଟରେ ନିଜ ଶକ୍ତି ବଢାଇବାକୁ ଚାହୁଁଛି କଂଗ୍ରେସ। ଆଉ ଜିଗ୍ନେଶଙ୍କ ପକ୍ଷରୁ ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ଗ୍ରିନ୍‌ ସିଗନାଲ ମିଳିଥିବା କୁହାଯାଉଛି। ପଟିଦାର ଆନ୍ଦୋଳନରୁ ନିଜର ରାଜନୈତିକ ଯାତ୍ର୍ରା ଆରମ୍ଭ କରିଥିବା ଜିଗ୍ନେଶ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ। ଏହାଛଡା ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ଜିଗ୍ନେଶଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପଟେ ଗତ ୨୦୧୯ରେ ବିହାରର ବେଗୁସରାଇ ଆସନରୁ ସିପିଆଇ ଟିକେଟରୁ ଲୋକସଭା ନିର୍ବାଚନ ଲଢି ହାରି ଯାଇଥିଲେ କହ୍ନେୟା। ତେବେ ମୋଦୀ ସରକାରଙ୍କୁ ନେଇ କହ୍ନେୟାଙ୍କର ଯେଉଁ ଆଭିମୁଖ୍ୟ ରହଛି ତାହାକୁ ଦେଶର ଯୁବବର୍ଗ ବେଶ ପସନ୍ଦ କରୁଛନ୍ତି। ଆଉ ଏଭଳି ଜଣେ ନେତାଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି। ଗୋଟିଏ ପଟେ ସିପିଆଇ ନେତୃତ୍ୱ ସହ କହ୍ନେୟାଙ୍କର ସମ୍ପର୍କ ଭଲ ନଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ତାଙ୍କ ବିରୋଧରେ ବୟାନବାଜି ଜାରି ରହିଛି। ଏପରିସ୍ଥିତିରେ ଖବୁଶୀଘ୍ର କହ୍ନେୟା କଂଗ୍ରେସର ହାତ ଧରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

The post ୨୮ରେ କଂଗ୍ରେସର ‘ହାତ’ ଧରିବେ କହ୍ନେୟା ଓ ଜିଗ୍ନେଶ! first appeared on Sambad.

from ରାଜନୀତି | Sambad https://ift.tt/3zBymhL