ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ ଚାଲିଥିବା ବେଳେ ପ୍ରାୟ ୩୦୦ ଶିଳ୍ପପତିଙ୍କୁ ଭେଟି ଗୋଟାଏ କିଛି ‘ଗୁରୁତ୍ବପୂର୍ଣ୍ଣ ଘୋଷଣା’ କରିବା ପାଇଁ ଲୁଧିଆନା ଯିବା ପୂର୍ବରୁ ‘ଆମ୍‌ ଆଦ୍‌ମି ପାର୍ଟି’ର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଅପରାହ୍ଣରେ ଚଣ୍ଡୀଗଡ଼ରେ ଅବତରଣ କରିଛନ୍ତି।

ଚଣ୍ଡୀଗଡ଼ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ କେଜ୍ରିୱାଲ୍‌ କହିଛନ୍ତି, ପଞ୍ଜାବରେ ଯାହା ହେଉଛି ବଡ଼ ଦୁଃଖଦାୟକ। ଲୋକେ ଆଚମ୍ବିତ ହୋଇଯାଉଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ, କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଉଚିତ ଏବଂ ଅସାଧୁ ମନ୍ତ୍ରୀ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ୨୦୧୫ ଗୁର ଗ୍ରନ୍ଥ ସାହିବ୍‌ ଘଟଣାର ‘ମାଷ୍ଟର୍‌ମାଇଣ୍ଡ୍‌’କୁ ଗିରଫ କରାଯିବା ଉଚିତ।

‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବୋଲି ପଚାରନ୍ତେ, ସେ କହିଲେ, ଆମେ ଅବିଳମ୍ବେ ତାଙ୍କ ନାମ ଘୋଷଣା କରିବୁ ଏବଂ ଆପଣମାନେ ଗୌରବାନ୍ବିତ ମନେକରିବେ।

Image Courtesy of The Indian Express

ଉଲ୍ଲେଖଯୋଗ୍ୟ, ‘ଆମ୍‌ ଆଦ୍‌ମି ପାର୍ଟି’ରେ ଯୋଗ ଦେବା ଲାଗି ଗତମାସରେ କଂଗ୍ରେସ ପରିତ୍ୟାଗ କରିଥିବା ଲୁଧିଆନାର କୁଲୱନ୍ତ୍‌ ସିଂହ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ପୂର୍ବରୁ କେଜ୍ରିୱାଲ୍‌ ଶିଳ୍ପପତିମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ବୁଝିବାକୁ ଚାହାଁନ୍ତି। ବିଶେଷକରି, ବିଜୁଳି କାଟ ଏବଂ ଅଧିକ ବିଜୁଳି ଶୁଳ୍କ ସମ୍ବନ୍ଧୀୟ ସମସ୍ୟା ଶୁଣିବା ପରେ ତା’ର ସାମଧାନ କରିବା ସହ ଶିଳ୍ପପତିମାନଙ୍କ ଦାବି ସବୁ ‘୨୦୨୨ ଆପ୍‌ ନିର୍ବାଚନୀ ଇସ୍ତାହାର’ରେ ଅନ୍ତର୍ଭୁକ୍ତ କରିବା ତାଙ୍କର ଇଚ୍ଛା।

ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଅଭାବରୁ ପଞ୍ଜାବ ଶିଳ୍ପ ଅନିର୍ଦ୍ଧାରିତ ବିଜୁଳିକାଟର ସମ୍ମୁଖୀନ ହେଉଛି। ଏହାଛଡ଼ା, ବିଜୁଳି ଶୁଳ୍କ ହ୍ରାସ ଏବଂ ପ୍ରତିଶ୍ରୁତି ଅନୁଯାୟୀ ରାତି ତାରିଫ୍‌ରେ ୫୦% ରିହାତି ଏବଂ ୟୁନିଟ୍‌ପିଛା ବିଜୁଳି ଦର ଟ. ୫/- ରଖାଯାଉ ବୋଲି ଶିଳ୍ପପତିମାନେ ଦାବି କରୁଛନ୍ତି।

ଏହାଛଡ଼ା, ପଡ଼ି ରହିଥିବା ‘ଜିଏସ୍‌ଟି’ ଫେରସ୍ତ ବ୍ୟବସ୍ଥା ଶୀଘ୍ର ହେଉ ବୋଲି ମଧ୍ୟ ପଞ୍ଜାବ ରାଜ୍ୟ ଶିଳ୍ପ ଚାହୁଁଛି। ତାହା ଏବେ ସେମାନଙ୍କ ପାଇଁ ଆଉ ଗୋଟାଏ ବଡ଼ ସମସ୍ୟା ହୋଇ ଉଭା ହୋଇଛି।

The post ଶିଳ୍ପପତିମାନଙ୍କ ସମସ୍ୟା ଶୁଣିବାକୁ ପଞ୍ଜାବରେ ପହଞ୍ଚିଲେ ଅରବିନ୍ଦ କେଜ୍ରିୱାଲ୍‌ first appeared on Sambad.

from ରାଜନୀତି | Sambad https://ift.tt/3ukQKKK