
ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଶାସକ କଂଗ୍ରେସ ମଧ୍ୟରେ କନ୍ଦଳ କାହାକୁ ଅଛପା ନାହିଁ । କିନ୍ତୁ ଏବେ କଂଗ୍ରେସକୁ ଟାର୍ଗେଟକୁ କରୁଛି ଆମ ଆଦମୀ ପାର୍ଟି । ନିର୍ବାଚନ ବେଳେ ରାଜନୈତିକ ବୟାନବାଜି କିଛି ନୂଆ କଥା ନୁହେଁ । କିନ୍ତୁ ପଞ୍ଜାବ ରାଜନୀତିରେ ଏବେ ଯେଉଁଭଳି ବୟାନବାଜି ଚାଲିଛି ତାହାକୁ ନେଇ ଚର୍ଚ୍ଚା ହେଉଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ତୁ ତୁ ମେଁ ମେଁ ଦେଖିବାକୁ ମିଳୁଥିଲା । ଆଉ ଏବେ ସିଦ୍ଧୁଙ୍କୁ ବାକ୍ୟ ବାଣରେ ଘାଇଲା କରୁଛି ଆମ୍ ଆଦମୀ ପାର୍ଟି । ଏପରିକି ଆପ ନେତା ଏହି ଧାରାରୁ ପାଦେ ଆଗକୁ ଯାଇ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କହିବାକୁ ପଛାଇ ନାହାନ୍ତି ।
ପଞ୍ଜାବରେ ଦ୍ୱିତୀୟ ଥର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ଆମ ଆଦମୀ ପାର୍ଟି ଓ ଏହାର ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ଦିଲ୍ଲୀରେ ଚାଷୀଙ୍କୁ ଫସଲ ପାଇଁ ଧାର୍ଯ୍ୟ ଦର ଠାରୁ କମ ମୂଲ୍ୟ ମିଳୁଛି । ଏପରିକି କେଜ୍ରିୱାଲ ସରକାର କେନ୍ଦ୍ର ସରକାରଙ୍କ ମଣ୍ଡି ବ୍ୟବସ୍ଥାକୁ ଲାଗୁ କରିବା ସହ ଚାଷୀଙ୍କୁ ହକ୍ ଦେବାରେ ବିଫଳ ହୋଇଛି । ଆଉ ଏଭଳି କହି କେଜ୍ରିୱାଲଙ୍କୁ ଘେରିଥିଲେ ସିଦ୍ଧୁ । କିନ୍ତୁ ଏହାର କଡା ଜବାବ ରଖିଛନ୍ତି ଆପ୍ ନେତା ରାଘବ ଚଢା ।
ରାଘବ ଚଢା ଟ୍ୱିଟ୍ କରି ସିଦ୍ଧୁଙ୍କୁ ଟାର୍ଗେଟ କରିବା ସହ ଲେଖିଛନ୍ତି, ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ ନବଜୋତ ସିଂ ସିଦ୍ଧୁଙ୍କୁ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ବାରମ୍ବାର ବୟାନବାଜି କରିବାରୁ କଂଗ୍ରେସ ହାଇକମାଣ୍ଡ ଚୁପ୍ ରହିବାକୁ ଚେତାବନୀ ଦେଇଥିଲେ । ଆଉ ଏହାପରେ ସିଦ୍ଧୁ ଏବେ କେଜ୍ରିୱାଲଙ୍କୁ ଟାର୍ଗେଟ କରିବାକୁ ଆଗେଇ ଆସିଛନ୍ତି । ଆପଣ କାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଯେବେ ପୁଣି ସିଦ୍ଧୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧରେ ବୟାନବାଜି କରିବେ ।
ଆଉ କିଛି ମାସ ମଧ୍ୟରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପୂର୍ବଥର ଆମ ଆଦମୀ ପାର୍ଟି ପ୍ରଥମ ଥର ନିର୍ବାଚନ ଲଢି ଭଲ ପ୍ରଦର୍ଶନ କରିଥିଲା । ଦଳ ବିରୋଧୀ ଆସନରେ ବସିଥିଲା । କିନ୍ତୁ ଏଥର ଶାସନ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ । ଯେଉଁଥିପାଇଁ ଜି ଜାନ୍ ଲଗାଇଦେଇଛି ଆପ୍ । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ପଞ୍ଜାବ ଗସ୍ତ କରୁଛନ୍ତି । କୁହାଯାଉଛି ଚଳିତ ନିର୍ବାଚନରେ କଂଗ୍ରେସ ଓ ଆପ୍ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ।
The post ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କହିଲେ ଆପ ନେତା first appeared on Sambad.from ରାଜନୀତି | Sambad https://ift.tt/39d0zkf
0 Comments