ବାରିପଦା : ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜରେ ବିଜୁ ଜନତା ଦଳ(ବିଜେଡି)ର ପ୍ରମୁଖ ସାରଥୀ। ଆଉ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ଦଳ। ଏନେଇ ଚାଲିଛି ବ୍ୟାପକ ଆୟୋଜନ। ନିକଟରେ ବିଜେଡିର ଉଭୟ ସାଂଗଠନିକ ଜିଲ୍ଲାର ସମ୍ପ୍ରସାରିତ ମହିଳା କମିଟି ଘୋଷଣା କରାଯାଇଛି। ଆଉ ଏହି କମିଟିରେ ସ୍ଥାନ ପାଇଛନ୍ତି ଏକାଧିକ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟ, ନେତ୍ରୀ ଏବଂ ତୃଣମୂଳସ୍ତରରେ କାମ କରୁଥିବା ଏକାଧିକ ନେତ୍ରୀ ଓ କର୍ମୀଙ୍କୁ ସ୍ଥାନ ମିଳିଛି।

ବିଜେଡି ମୟୂରଭଞ୍ଜ-୧ ସାଂଗଠନିକ ଜିଲ୍ଲାରେ ଘୋଷଣା ହୋଇଥିବା ଜୁମ୍ବୋ ଟିମ୍‌ରେ ୧୧ଜଣ ଜିଲ୍ଲା ଉପ-ସଭାପତି, ୧୧ ଜିଲ୍ଲା ସାଧାରଣ ସମ୍ପାଦିକା, ୨୪ ଜିଲ୍ଲା ସମ୍ପାଦିକା, ୬ଜଣ ଗଣମାଧ୍ୟମ ସଂଯୋଜିକା, ସମସ୍ତ ୧୫ ଗୋଟି ବ୍ଲକ, ଏନଏସି, ପୌରପାଳିକାର ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଟିମ୍‌ରେ ସ୍ଥାନ ପାଇଥିବା କର୍ମକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ କରିବା ତଥା ଦଳୀୟ କାର୍ଯ୍ୟକ୍ରମ ନିମନ୍ତେ ସଜିଲ୍ କରିବା ସକାଶେ ଦଳ ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ-୧ ବିଜୁ ମହିଳା ଜନତା ଦଳର ସଭାପତି ଦିପ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

ରାଜ୍ୟସଭା ସାଂସଦ ମମତା ମହାନ୍ତ, ମହିଳା ପର୍ଯ୍ୟବେକ୍ଷକ ସୁମିତ୍ରା ଜେନା, ସହ ପର୍ଯ୍ୟବେକ୍ଷକ ଉର୍ମ୍ମିଲତା ଦାସ, ଜୋନାଲ ସଭାନେତ୍ରୀ ବିଣାପାଣୀ ସାହୁ, କାର୍ଯ୍ୟକାରୀ ସଭାନେତ୍ରୀ ସବିତା ହାଁସଦାଃ, ପ୍ରିତିନନ୍ଦା କାନୁନଗୋ, ବିଷ୍ଣୁପ୍ରିୟା ଦାସ, ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ଏସଡିସି ଚେୟାରମ୍ୟାନ ଦେବାଶିଷ ମାର୍ଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବବିତା ଦାସ, ଜିତେନ୍ଦ୍ର ମହାନ୍ତି, ଅରୁଣ ବରାଡ, ସୁନିଲ ନାୟକ, ସୀମା ଦାସ, ଶ୍ରାବଣୀ ଦାସ, ସବିତା ବେହେରା, ଭାରତୀ ହାଁସଦାଃ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ଲକ୍ର ଅଧ୍ୟକ୍ଷ/ଅଧ୍ୟକ୍ଷା ଉପସ୍ଥିତ ଥିଲେ। ମୁଖ୍ୟତଃ ଆଗାମୀ ପଞ୍ଚାୟତ ନିର୍ବାଚନରେ ନାରୀ ନେତ୍ରୀଙ୍କ ଭୂମିକା ଏବଂ ଦାୟିତ୍ବ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ବିଜେଡିକୁ ପ୍ରତି ଜିଲ୍ଲା ପରିଷଦ ଆସନରେ ବିଜୟୀ କରିବାକୁ ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରତିଜ୍ଞା କରିଥିଲେ। ବିଜେଡିର ଏହି ମହିଳା ଚାଲ୍ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପାଇଁ ଆହ୍ବାନ ସୃଷ୍ଯି କରିଥିବା ଚର୍ଚ୍ଚା ହୋଇଛି।

The post ପଞ୍ଚାୟତ ନିର୍ବାଚନରେ ମହିଳା ସାଜିବେ ବିଜେଡିର ମୁଖ୍ୟ ସାରଥୀ, କ୍ଷେତ୍ର ପ୍ରସ୍ତୁତ କରୁଛି ଦଳ first appeared on Sambad.

from ରାଜନୀତି | Sambad https://ift.tt/3j4IZVh