ନୂଆଦିଲ୍ଲୀ : ବିରୋଧୀ ଦଳମାନେ ଏକଜୁଟ୍‌ ହୋଇ ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଏବେଠାରୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଚାପ ଓ ସମସ୍ୟା ଭିତରେ ବି ଆଗକୁ ବଢ଼ିବାକୁ ହେବ ବୋଲି ଆଜି ବିରୋଧୀ ଦଳମାନଙ୍କ ମିଳିତ ଭର୍ଚୁଆଲ ବୈଠକରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଗୁରୁ୍ତ୍ବାରୋପ କରିଛନ୍ତି। ବିରୋଧୀ ଦଳମାନେ ଜାତୀୟ ସ୍ବାର୍ଥ ପାଇଁ ମତାନ୍ତରକୁ ଭୁଲି ଏକାଠି ହେଲେ ହିଁ ୨୦୨୪ ନିର୍ବାଚନରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ୧୯ଟି ଦଳକୁ ନେଇ ହୋଇଥିବା ବୈଠକରେ ସୋନିଆ କହିଛନ୍ତି ଯେ ଲକ୍ଷ୍ୟ ହାସଲ ପାଇଁ ଆମକୁ ଦୃଢ଼ତାର ସହ ଆଗକୁ ବଢ଼ିବାକୁ ହେବ। ଦେଶରେ ସ୍ବାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଏବଂ ସମ୍ବିଧାନର ନୀତିକୁ କାଏମ ରଖିବା ପାଇଁ ସମସ୍ତ ବିରୋଧୀ ଦଳ ଏକ ମନରେ କାମ କରିବାକୁ ସୋନିଆ ଆହ୍ବାନ ଦେିଛନ୍ତି।

ସୋନିଆଙ୍କ ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ, ଏନ୍‌ସିପି ନେତା ଶରଦ ପାୱାର, ଆରଜେ୍‌ଡି ନେତା ତେଜସ୍ବୀ ଯାଦବ, ସିପିଏମ୍‌ ନେତା ସୀତାରାମ ୟେଚୁରୀ ପ୍ରମୁଖ ସାମିଲ ହୋଇଥିଲେ। ତେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ବହୁଜନ ସମାଜ ପାର୍ଟି ‌ସୁପ୍ରିମୋ ମାୟାବତୀ, ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଅକାଳୀ ଦଳ ସୋନିଆଙ୍କ ଏହି ବୈଠକକୁ ଏଡ଼ାଇ ଯାଇଥିଲେ।

The post ୨୦୨୪ ନିର୍ବାଚନ ପାଇଁ ରଣନୀତି: ସୋନିଆଙ୍କ ଅଧ୍ୟକ୍ଷତାରେ ୧୯ଟି ବିରୋଧୀ ଦଳର ବୈଠକ first appeared on Sambad.

from ରାଜନୀତି | Sambad https://ift.tt/3z77ree