ଭୁବନେଶ୍ବର : ଦୀର୍ଘ ତିନି ବର୍ଷ ହେଲା ରାଜ୍ୟରେ ପୌର ନିର୍ବାଚନ ହୋଇନଥିବାରୁ ଏନ୍‌ଏସି ଏବଂ ପୌରାଞ୍ଚଳଗୁଡ଼ିକରେ ଜନପ୍ରତିନିଧି ନାହାନ୍ତି। ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାଦ୍ବାରା ସହରାଞ୍ଚଳରେ ବିକାଶ ବାଧାପ୍ରାପ୍ତ ହେବା ସହ ଏଠାରେ ବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୌରାଞ୍ଚଳ କମିଟି ବୈଠକ ବସିଥିବାବେଳେ ଏଥିରେ ପୌରାଞ୍ଚଳରେ କିପରି ଲୋକମାନେ ସମସ୍ୟା ଭୋଗୁଛନ୍ତି ଏବଂ ଏହାର ପ୍ରତିକାର ପାଇଁ ଦଳ କ’ଣ ପଦକ୍ଷେପ ନେବ ସେନେଇ ଆଲୋଚନା ହୋଇଥିଲା। ଏହାପରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତିି ଯେ, ପୌର ସଂସ୍ଥାରେ ଜନପ୍ରତିନିଧି ନଥିବାରୁ ବହୁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରୁନି। ସହରାଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଏବେ ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଦଳୀୟ ଭିତ୍ତିରେ ବଣ୍ଟନ କରି ବ୍ୟାପକ ଘୋଟଲା କରିଛନ୍ତି। କେନ୍ଦ୍ର ସରକାର ବୁଲା ବିକାଳି, ଗରିବ, ଭିକାରୀ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପଠାଇଥିବା ଅନୁଦାନକୁ ରାଜ୍ୟ ସରକାର ହଡପ କରିଛନ୍ତି। ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିବା ରାଜ୍ୟ ସରକାର କାହିଁକି ପୌର ନିର୍ବାଚନ କରିବାକୁ ପଦକ୍ଷେପ ନେଉନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ପୌର ନିର୍ବାଚନ ଶୀଘ୍ର କରିବାକୁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦିଆଯିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି।

ପୌରାଞ୍ଚଳ କମିଟିର ଅଧ୍ୟକ୍ଷ କେ.ଭି ସିଂହଦେଓ କହିଛନ୍ତି ଯେ, ଆଗାମୀ ପୌର ନିର୍ବାଚନ ବିଜେଡି ଓ ବିଜେପି ମଧ୍ୟରେ ହେବ। ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପୌର ନିର୍ବାଚନ କରାଯାଉ।

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଆମକୁ ୱାର୍ଡକୁ ୱାର୍ଡ ବୁଲି ପଦଯାତ୍ରା କରି ଲୋକଙ୍କ ସହ ଯୋଡି ହେବାକୁ ପଡ଼ିବ। ଲୋକଙ୍କ ସମସ୍ୟାକୁ ଉଠାଇବାକୁ ହେବ। ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୌରାଞ୍ଚଳ କମିଟିର ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ନୟନ କିଶୋର ମହାନ୍ତି, ବିନୋଦ ଦାଶ, ଜୀବନ ପ୍ରଦୀପ ଦାସ, ପ୍ରକାଶ ବେହେରା, ଦିଲୀପ ମହାନ୍ତି, ନିହାର ରାୟ,ସୁନୀଲ ଶର୍ମା, ଉର୍ମିଳା ମହାପାତ୍ର, ତିରୁପତି ନାୟକ, ଜଗନ୍ନାଥ ପ୍ରଧାନ, ସୀମାଂଚଳ ଖଟେଇ, ଦିଲୀପ ମିଶ୍ରଙ୍କ ସମେତ ରାଜ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

The post ପୌର ନିର୍ବାଚନ ହେଉନଥିବାରୁ ସହରାଞ୍ଚଳରେ ବିକାଶ ବାଧାପ୍ରାପ୍ତ: ବିଜେପି first appeared on Sambad.

from ରାଜନୀତି | Sambad https://ift.tt/3C266qR