ରାଜନଗର: ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ରୋଚକ ହେବାରେ ଲାଗିଛି ଗ୍ରାମାଞ୍ଚଳ ରାଜନୀତି । ଏହିଭଳି ଏକ ରୋଚକ ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରୁ ଆସିଛି। କିଭଳି ବିଜେଡି କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଗୋବର ପାଣି ଛିଞ୍ଚୁଛନ୍ତି ଜଣେ ମହିଳା। ଏହାପରେ ରାସ୍ତାକୁ ଝାଡୁ କରାଯାଉଛି। ଅର୍ଥାତ ଗୋବର ପାଣିରେ ଲିପି ଏହି ଅଞ୍ଚଳକୁ ବିଶୋଧନ କରୁଛି ବିଜେଡି ଦଳ। ରାଜନଗର ବ୍ଲକ ବାଘମାରି ପଂଚାୟତରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି । ଯେଉଁ ସ୍ଥାନରେ କଂଗ୍ରେସ କର୍ମୀମାନେ ଅନଶନ କରିଥିଲେ, ସେହି ସ୍ଥାନରେ ଗୋବର ପାଣି ଛିଞ୍ଚି ଅଭିନବ ଢଙ୍ଗରେ କଂଗ୍ରେସ ମିଛର ପ୍ରତିବାଦ କରିଛି ବିଜୁ ଜନତା ଦଳ ।

କଂଗ୍ରେସର ଅଭିଯୋଗ ହେଲା କିଛି ରିଲିଫ ଚୁଡାକୁ ପୋତାଯାଇଛି । ଏହାକୁ ନେଇ ରାଜନଗର କଂଗ୍ରେସ ପକ୍ଷରୁ ବିଡିଓଙ୍କୁ ଦାବି ପତ୍ର ଦିଆଯାଇଥିବା ବେଳେ ସପ୍ତାହେ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ କଂଗ୍ରେସ ଜିଲ୍ଲା ସଭାପତି ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଂଚାୟତ ଅଫିସ ସାମ୍ନାରେ ଅନଶନ କରିଥିଲେ। ହେଲେ କଂଗ୍ରେସ ମିଛ ପ୍ରଚାର କରି ହୀନ ରାଜନୀତି କରୁଥିବା ଅଭିଯୋଗରେ ରାସ୍ତାକୁ ଓହ୍ଲାଇଥିଲା ବିଜେଡି  । ଏକ ରାଲିରେ ଆସି ବିଜେଡି କର୍ମୀମାନେ କଂଗ୍ରେସ ଅନଶନ କରିଥିବା ସ୍ଥଳରେ ଗୋବର ପାଣି ପକାଇ ବିଶୋଧନ କରିଥିବା ଦେଖିବାକୁ ମିଳିଛି । ତେବେ ଦୁଇ ପ୍ରମୁଖ ରାଜନୈତିକ ଦଳର ଏଭଳି ହାଇଡ୍ରାମା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

The post କେନ୍ଦ୍ରାପଡ଼ା: ଯେଉଁ ସ୍ଥାନରେ କଂଗ୍ରେସ କର୍ମୀ ଅନଶନ କରିଥିଲେ ସେହି ସ୍ଥାନରେ ଗୋବର ପାଣି ଛିଞ୍ଚିଲା ବିଜେଡ଼ି first appeared on Sambad.

from ରାଜନୀତି | Sambad https://ift.tt/2WNKkH7