
ଗୋଳନ୍ଥରା : ଆଗକୁ ପଞ୍ଚାୟତ ଓ ପରେ ପୌର ନିର୍ବାଚନ। ହେଲେ ଏଭଳି ଘଡ଼ିସନ୍ଧି ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅଧୀନ ରଙ୍ଗେଇଲୁଣ୍ଡା ବ୍ଲକ୍ ରାଜନୀତିରେ ଏକ ବିରାଟ ସମୀକରଣର ଆଭାସ ମିଳିସାରିଲାଣି। କାରଣ ଗୋପାଳପୁର ବିଧାୟକଙ୍କ ଗିରଫଦାରୀ ଓ ଦଳରୁ ବହିଷ୍କାର ପରେ ଏବେ ବିଜେଡି ତିନି ଫାଳ ହୋଇଥିବା ବେଳେ ନେତୃତ୍ବ ନେବା ପାଇଁ ତୁଙ୍ଗ ନେତା ଓ କର୍ମୀଙ୍କ ଭିତରେ ଶୀତଳଯୁଦ୍ଧ ଆରମ୍ଭ ହୋଇସାରିଛି। ନିଜ ନିଜ ଭିତରେ ସେମାନେ ‘ମୋ ଠାରୁ ବଡ଼ ଆଉ କିଏ ନୁହେଁ’ ବୋଲି କୁହାକୁହି ହେଉଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି। ଶାସକ ଦଳର ଏଭଳି ଦୁରବସ୍ଥା ବିଷୟରେ ଖୋଦ୍ ନେତା ମାନେ ସ୍ବୀକାର କରିଛନ୍ତି।
ଗୋପାଳପୁର ବିଧାୟକ ଡ.ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ଠକେଇ ମାମଲାରେ ଗିରଫ ହୋଇ ଜେଲ୍ ଯିବା ପରେ ରଙ୍ଗେଇଲୁଣ୍ଡା ବ୍ଲକ୍ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଦଳର ତୁଙ୍ଗ ନେତା ମାନେ ଖୋଲାଖୋଲି ଭାବେ ବିଧାୟକଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ଫଳରେ କିଛି ଦିନ ପରେ ଏଠାରେ ରାଜନୈତିକ ଗତିବିଧି ସ୍ଥାଣୁ ପାଲଟିଗଲା। ବର୍ତ୍ତମାନ ବିଧାୟକ ଜେଲ୍ରୁ ଜାମିନରେ ମୁକୁଳିବା ପରେ ପୁଣି ଆଉ କିଏ ପାଟି ଖୋଲୁନାହାନ୍ତି। କିନ୍ତୁ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଜଳଜଳ ହୋଇ ଦିଶୁଛି। ଆଗଧାଡ଼ିର ନେତା ମାନେ ନିଜ ନିଜ ସମର୍ଥକଙ୍କୁ ନେଇ ବୈଠକ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଅନ୍ୟ କିଛି କର୍ମୀ ଗୁପ୍ତ ମନ୍ତ୍ରଣା ଆରମ୍ଭ କରିଛନ୍ତି।
ରଙ୍ଗେଇଲୁଣ୍ଡା ବ୍ଲକ୍ର ୩୨ଟି ପଞ୍ଚାୟତ ସମେତ କୁକୁଡ଼ାଖଣ୍ଡିର ୫ଟି ପଞ୍ଚାୟତ, ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡ଼ ଓ ଗୋପାଳପୁର ଏନଏସିକୁ ନେଇ ଗଠିତ ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ଦିଗହରା ହୋଇ ତିନି ଭାଗରେ ବିଭକ୍ତ ହୋଇସାରିଛି। ଗୋଟିଏ ଅସନ୍ତୋଷ ଯୁବଗୋଷ୍ଠୀ ବୟସ୍କଙ୍କ ମାନଙ୍କ ହାତରେ ଦାୟିତ୍ବ ପ୍ରଦାନକୁ ସହଜରେ ଗ୍ରହଣ କରି ନପାରି ନିରବଦ୍ରଷ୍ଟା ସାଜିଥିବା ବେଳେ ଅନ୍ୟ ମାନେ ଭୋଜିଭାତର ଆସର ଜମାଇ ସମର୍ଥନ ଜୁଟାଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ତିନି ଗୋଷ୍ଠୀରୁ ଜଣେ ଜଣେ ତୁଙ୍ଗ ନେତା ଏବେଠାରୁ ବିଧାୟକ ଭାବେ ପ୍ରୋଜେକ୍ଟ୍ କରିବା ଆରମ୍ଭ କରିସାରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଦଳର ସମର୍ଥନକୁ ସେମାନେ ଅଣଦେଖା କରି କେବଳ ପତିଆରା ଜାହିର୍ କରିବାକୁ ଚେଷ୍ଟା କରୁଥିବା ଦଳର ଜଣେ ପୂର୍ବତନ ଯୁବ ସଭାପତି ଅଭିଯୋଗ ଆଣିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁମାନେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରୁଥିଲେ ସେମାନେ ଆଜି ବିପକ୍ଷ ଗୋଷ୍ଠୀ ସହ ହାତ ମିଳାଇସାରିଛିନ୍ତି।
ଏଭଳି ପରିସ୍ଥିତିରେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବା ବେଳେ ଦେଢ଼ବର୍ଷ ହେଲା ବ୍ଲକ୍ ସଭାପତି ଚୟନ ହୋଇପାରିନି। ଆଶାୟୀ ମାନେ ନିରାଶ ହୋଇ ଆସ୍ଥା ହରାଇଛନ୍ତି। ଯାହାକି ଉଭୟ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି।
ଆଉ ବିଜେପି ଏହି ପରିସ୍ଥିତିର ବର୍ତ୍ତମାନ ସୁଯୋଗ ନେଇ ନିଜ କାୟା ବିସ୍ତାର କରିବାକୁ ଉଦ୍ୟମ ଜାରି ରଖିଛି। ଏଥିପାଇଁ ତିନିମାସ ବ୍ୟବଧାନରେ ୨ ଥର ମଣ୍ଡଳସ୍ତରରେ ସଭାସମିତି ଆୟୋଜନ ହୋଇଥିବା ବେଳେ କର୍ମୀ ମାନେ ଘରକୁ ଘର ବୁଲି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଏହି ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗରେ ଏକ ବଡ଼ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି। ଅନ୍ୟପକ୍ଷରେ କଂଗ୍ରେସରେ ବି ବ୍ଲକ୍ରେ ନେତୃତ୍ବର ଅଭାବ ଥିବାରୁ ଦଳୀୟ କର୍ମୀ ନିରୁପାୟ ହୋଇ ବସିଛନ୍ତି।
The post ରଙ୍ଗେଇଲୁଣ୍ଡା ବ୍ଲକ୍: ବିଜେଡି ୩ ଫାଳ, କାୟା ମେଲାଉଛି ବିଜେପି, ନିରୁପାୟ କଂଗ୍ରେସ first appeared on Sambad.from ରାଜନୀତି | Sambad https://ift.tt/3jJVmFn
0 Comments