
ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଖୁବ୍ଶୀଘ୍ର ବିଜେପି ଛାଡ଼ିପାରନ୍ତି। ଭୁବନେଶ୍ବର ବିଜେପିରେ ବଢ଼ି ଚାଲିଥିବା ଅନ୍ତଃକନ୍ଦଳ ପାଇଁ ଜଗନ୍ନାଥ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଏପରିକି ଅଗଷ୍ଟ ୧୭ କିମ୍ବା ୧୯ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ ହେବାକୁ ଏକ ମିଶ୍ରଣ ପର୍ବରେ ସେ ତାଙ୍କର କିଛି ସମର୍ଥକଙ୍କ ସହ ବିଜେଡିରେ ମିଶିବେ ବୋଲି ଆପାତତଃ ସ୍ଥିର ହୋଇଥିବା କୁହାଯାଉଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ତିନିତିନି ଥର ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ଦଳ ଛାଡ଼ିବା ଖବର ପ୍ରଚାର ହେବା ପରେ ଭୁବନେଶ୍ବର ବିଜେପିରେ କମ୍ପନ ସୃଷ୍ଟି ହୋଇଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ମଧ୍ୟସ୍ଥତାରେ ଜଗନ୍ନାଥ ବୁଧବାର ରାତିରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ। ଏହି ଗୋପନ ବୈଠକରେ ତାଙ୍କ ଦଳ ଛାଡ଼ିବା ନେଇ ଆଲୋଚନା ହୋଇଥିଲା। ହେଲେ କିଛି ଚୂଡ଼ାନ୍ତ ହୋଇନଥିଲା। ଆଜି ସଂଧ୍ୟାରେ ଭୁବନେଶ୍ବରର ଆଉ ଜଣେ ବିଧାୟକଙ୍କ ସହ ଜଗନ୍ନାଥ ପୁଣିଥରେ ଉକ୍ତ ବରିଷ୍ଠ ନେତାଙ୍କ ପାଖକୁ ଯାଇଥିଲେ। ସେଠାରେ ତିନି ଜଣ ଦୀର୍ଘ ସମୟ ଆଲୋଚନା କରିବା ପରେ ଜଗନ୍ନାଥ ବିଜେଡିରେ ମିଶିବେ ବୋଲି ସମ୍ମତି ଜଣାଇଥିବା ନେଇ ସୂଚନା ମିଳିଛି। ଏପରିକି ତାଙ୍କ ସହ ଭୁବନେଶ୍ବର ବିଜେପିର କିଛି ମଣ୍ଡଳ ସଭାପତି, କର୍ମକର୍ତ୍ତା, ଜିଲ୍ଲା ଯୁବ ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସହ ବିବାଦ, ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଭଳି ପ୍ରସଙ୍ଗକୁ ନେଇ ଜଗନ୍ନାଥ ଅସନ୍ତୋଷ ଜାହିର୍ କରିଥିଲେ। ଏପରିକି ଭୁବନେଶ୍ବରରେ ଜଣେ ଟାଣୁଆ ବିଜେପି ନେତା ଭାବେ ଗଣା ହେଉଥିବା ଜଗନ୍ନାଥଙ୍କର ଗତ କିଛି ଦିନ ମଧ୍ୟରେ ଭୁବନେଶ୍ବର ସାଂସଦ ଓ ଜିଲ୍ଲା ସଭାପତିଙ୍କ ଠାରୁ ଦୂରତା ବଢ଼ି ଯାଇଥିଲା ଏବଂ ଦଳୀୟ ସଂଗଠନ ତିନି ଫାଳ ହୋଇଯାଇଥିଲା। ଏହାପରେ ଜଗନ୍ନାଥ ଗତ ସପ୍ତାହରେ ବ୍ୟକ୍ତିଗତ କାରଣ ପାଇଁ ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ବାସ୍ତବରେ ଦଳୀୟ ବିବାଦ ଯୋଗୁଁ ସେ ଜାଣିଶୁଣି ଦଳଠାରୁ ନିଜକୁ ଦୂରେଇ ନେଇଥିଲେ। କିନ୍ତୁ ତାଙ୍କୁ ମନାଇବାକୁ ବିଜେପିର ରାଜ୍ୟ ନେତୃତ୍ବ କୌଣସି ଉଦ୍ୟମ କରିନଥିଲେ। ଫଳରେ ସେ ଦଳ ଛାଡ଼ି ବିଜେଡିରେ ମିଶିବେ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ଗତବର୍ଷ ଜିଲ୍ଲା ସଭାପତି ନିଯୁକ୍ତିରେ ନିଜ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ। ତେବେ ରାଜ୍ୟ ଓ ସ୍ଥାନୀୟ ନେତୃତ୍ବ ତାଙ୍କୁ ବୁଝାସୁଝା କରିବା ପରେ ସେ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ।
The post ଭୁବନେଶ୍ବର ବିଜେପିରେ କମ୍ପନ: ବିଜେଡିରେ ମିଶିବେ ଜଗନ୍ନାଥ ପ୍ରଧାନ! first appeared on Sambad.from ରାଜନୀତି | Sambad https://ift.tt/3saZsdg
0 Comments