
ଦଳୀୟ କାର୍ଯ୍ୟରୁ ଦୂରେଇଲେ ଜଗନ୍ନାଥ
ଯୁବମୋର୍ଚ୍ଚା ସଂଗଠନକୁ ନେଇ ବିବାଦ ବଢ଼ୁଛି
ସାଂସଦ, ବିଧାୟକ ପ୍ରାର୍ଥୀ ପୃଥକ ପୃଥକ ସଂଗଠନ ଧରି ବୁଲୁଛନ୍ତି
ଭୁବନେଶ୍ବର : ରାଜ୍ୟରେ ତିନି ବର୍ଷ ହେଲା ପୌର ନିର୍ବାଚନ ହୋଇନଥିବାରୁ ଏହାକୁ ତୁରନ୍ତ କରିବାକୁ ବିଜେପି ରାଜ୍ୟପାଳ ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି। ଏପରିକି ପୌର ନିର୍ବାଚନରେ ଯେପରି ବିଜେପି ଭଲ ପ୍ରଦର୍ଶନ କରିବ, ସେଥିପାଇଁ ଏବେଠୁ ରାଜ୍ୟ ପୌରାଞ୍ଚଳ କମିଟି ଗଠନ କରିଛି। ୩୦ ଜିଲ୍ଲାର ପୌରାଞ୍ଚଳରେ ସଂଗଠନ ସୁଦୃଢ଼ କରିବା ପାଇଁ ରାଜ୍ୟ ପୌରାଞ୍ଚଳ କମିଟି ଗଠନ କରିଛି। ହେଲେ ଭୁବନେଶ୍ବରରେ ବିଜେପି ତିନି ଭାଗ ହୋଇଗଲାଣି। ଦଳୀୟ ନେତାଙ୍କ ମଧ୍ୟରେ ଅନ୍ତଃକନ୍ଦଳ ଏମିତି ସ୍ଥିତିରେ ପହଞ୍ଚିଛି ଯେ, କେହି କାହା ମୁହଁ ଚାହିଁବା ଅବସ୍ଥାରେ ନାହାନ୍ତି।
ରାଜଧାନୀରେ ବିଜେପି ରାଜନୀତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଭିନ୍ନ ପ୍ରସଙ୍ଗରେ ବିଜେପି ରାସ୍ତାକୁ ଓହ୍ଲାଉଛି ସତ। କିନ୍ତୁ ଦଳର ଅନ୍ତଃକନ୍ଦଳ ସେଥିରେ ଜଳ ଜଳ ଦେଖାଯାଉଛି। ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ, ଭୁବନେଶ୍ବର ମଧ୍ୟରୁ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ବିଭିନ୍ନ ସମୟରେ ରାଜଧାନୀର ଏକାଧିକ ସ୍ଥାନୀୟ ପ୍ରସଙ୍ଗକୁ ନେଇ ଏକାଠି ରାସ୍ତାକୁ ଓହ୍ଲାଉଥିଲେ। ଡ୍ରେନ୍ ସମସ୍ୟା ହେଉକି ପରିମଳ ବ୍ୟବସ୍ଥା, ହୋଲଡିଂ ଟିକସ ସମସ୍ୟା କି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦକୁ ବିରୋଧ, ସବୁଥିରେ ତିନି ନେତା ତାଙ୍କ ସମର୍ଥକଙ୍କ ସହ ବିରୋଧ ପ୍ରଦର୍ଶନ କରୁଥିଲେ। କିନ୍ତୁ ଏବେ ରାଜଧାନୀରେ ଡେଙ୍ଗୁ ପ୍ରସଙ୍ଗରେ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଜିଲ୍ଲା ସଭାପତି ବାବୁ ସିଂହ ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେଥିରେ କେବଳ ତାଙ୍କରି ସମର୍ଥକମାନଙ୍କୁ ଦେଖିବାକୁ ମିଳୁଛି। ନା ଏଠାରେ ସାଂସଦଙ୍କୁ ଦେଖିବାକୁ ମିଳୁଛି ନା ଜଗନ୍ନାଥଙ୍କୁ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ଭୁବନେଶ୍ବର ଜିଲ୍ଲା ଯୁବ ମୋର୍ଚ୍ଚା ସଂଗଠନକୁ ନେଇ ଏହି ବିବାଦ ତୀବ୍ର ରୂପ ନେଇଛି। ସ୍ଥିତି ଏପରି ହୋଇଛି ଯେ, ଜଗନ୍ନାଥ ପ୍ରଧାନ ଦୁଇଦିନ ତଳେ ଫେସ୍ବୁକ୍ରେ ଲେଖିଛନ୍ତି ‘ମୋର ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ କିଛି ଦିନ ପାଇଁ ଦଳୀୟ କାର୍ଯ୍ୟରୁ ବିରତି ନେଉଛି’। ଏନେଇ ଜଗନ୍ନାଥଙ୍କୁ ଯୋଗାଯୋଗ କରିବାରୁ ସେ ଦଳୀୟ କନ୍ଦଳ କଥାକୁ ଅସ୍ବୀକାର କରିନଥିଲେ ବି କହିଛନ୍ତି ଯେ, ମୋର ଭାଇଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ମୁଁ କୌଣସି କାର୍ଯ୍ୟରେ ଏବେ ଯୋଗଦେଇପାରୁନି। ଜଗାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଭିମାନର କାରଣ ହେଲା, ଯୁବ ମୋର୍ଚ୍ଚା ସଭାପତି ପଦକୁ ନେଇ ବାବୁ ସିଂହ ଓ ତାଙ୍କ ମଧ୍ୟରେ ଟଣାଓଟରା ଚାଲିଛି। ତିନି ମାସ ତଳେ ଜଗାଙ୍କ ସମର୍ଥକ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ବର ଜିଲ୍ଲାର ଯୁବ ମୋର୍ଚ୍ଚା ସଭାପତି ହୋଇଥିଲେ। ତାଙ୍କ ନିଯୁକ୍ତିକୁ ବାବୁ ସିଂହ ସମର୍ଥନ କରୁନଥିଲେ। ବାବୁ ସିଂହ ପୂର୍ବତନ ସଭାପତି ଅଭିଷେକ ଆଚାର୍ଯ୍ୟଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଚାହୁଁଥିଲେ। ଏପରିକି କଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଏଁ ଯାଇଥିଲା। ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ବାବୁ ସିଂହ ବିଭିନ୍ନ ବିକ୍ଷୋଭ ସମୟରେ ଯୁବମୋର୍ଚ୍ଚା ସଭାପତିଙ୍କୁ ନେଉନଥିଲେ କି ଯୁବମୋର୍ଚ୍ଚା ସଭାପତି ଯେଉଁ କାର୍ଯ୍ୟକ୍ରମ କରୁଥିଲେ ସେଠାକୁ ଜିଲ୍ଲା ସଭାପତିଙ୍କୁ ଡାକୁ ନଥିଲେ। ସ୍ଥିତି ଏପରି ହେଲା ଯେ, ଜିଲ୍ଲା ସଭାପତି ରାଜଧାନୀର ବିଭିନ୍ନ ସ୍ଥାନ ବୁଲି ବୁଲି ବିକ୍ଷୋଭ ପ୍ରଦର୍ଶନ କଲେ। ହେଲେ ସେଠାରେ ଯୁବ ମୋର୍ଚ୍ଚା ନେତାଙ୍କୁ ଦେଖିବାକୁ ମିଳିଲାନି କି ଜଗନ୍ନାଥଙ୍କୁ ଦେଖିବାକୁ ମିଳିଲାନି।

ଏବେ ଦଳର ଯୁବମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ କେଶରୀ ନାୟକ ଅଭିଳାଷ ଦାସଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର ସାଂଗଠନିକ ଜିଲ୍ଲାକୁ ସୁଦୃଢ ତଥା ସୁସଂଗଠିତ କରିବା ପାଇଁ ଏହି ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି। ହେଲେ ଏହି ନିଯୁକ୍ତି ହେବା ଦିନଠାରୁ ହିଁ ସଂଗଠନରେ ବଡ଼ ଫାଟ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ଯୁବମୋର୍ଚ୍ଚା ସଭାପତି ରଶ୍ମି ଦଳର ରାଜ୍ୟ ସଭାପତି, କେନ୍ଦ୍ର ମନ୍ତ୍ରୀ, ସାଂସଦ, ଜିଲ୍ଲା ସଭାପତିଙ୍କୁ ଲେଖିକି ଜଣାଇଛନ୍ତି। ହେଲେ କେହି କିଛି ପଦକ୍ଷେପ ନନେବାରୁ ଜଗନ୍ନାଥ ଦଳୀୟ କାର୍ଯ୍ୟରୁ ବିରତି ନେଇଯାଇଛନ୍ତି। କେବଳ ଏତିକି ନୁହେଁ ଜିଲ୍ଲା ସଭାପତି ଶ୍ରୀ ସିଂହ ଏବେ ଅପରାଜିତାଙ୍କ ଗୋଷ୍ଠୀରେ ମଧ୍ୟ ନାହାନ୍ତି। ଅପରାଜିତାଙ୍କ ସବୁ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବରୁ ତାଙ୍କୁ ଦେଖିବାକୁ ମିଳୁଥିବା ବେଳେ ଏବେ ଶ୍ରୀ ସିଂହ ଓ ଶ୍ରୀମତୀ ଷଡ଼ଙ୍ଗୀ ପୃଥକ ପୃଥକ କାର୍ଯ୍ୟକ୍ରମ କରୁଛନ୍ତି। କେବଳ ଏତିକି ନୁହେଁ, ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ଯେଉଁ ତିନି ଜଣ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନେ କେହି ବି ଅପରାଜିତାଙ୍କ ସହ ନାହାନ୍ତି। କେବଳ ଉପର ଠାଉରିଆ ଭାବେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ବି କାହାର କାହା ପ୍ରତି ସମର୍ଥନ ନାହିଁ। ଫଳରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅପରାଜିତା ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ କେବଳ ତାଙ୍କର କିଛି ନିର୍ଦ୍ଦିଷ୍ଟ ସମର୍ଥକଙ୍କୁ ଦେଖିବାକୁ ମିଳୁଛି।
ଅପରପକ୍ଷେ ରାଜ୍ୟ ପୌରାଞ୍ଚଳ କମିଟିରେ ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ବରର ସଂଗଠନ ଦାୟିତ୍ବ ଅପରାଜିତାଙ୍କୁ ଦିଆଯାଇଛି। ଯଦି ଏହିଭଳି ଦଳୀୟ କନ୍ଦଳ ଲାଗି ରହେ, ତେବେ ଆଗାମୀ ପୌର ନିର୍ବାଚନରେ ବିଜେପି ବିଜେଡ଼ିକୁ କଡ଼ା ଟକ୍କର ଦେବା ଦୂର କଥା ନିଜ ସ୍ଥିତି ବି ବଜାୟ ରଖିବା କଷ୍ଟକର ହୋଇଯାଇପାରେ। ଏବେଠୁ ଅପରାଜିତା ଭୁବନେଶ୍ବରରେ ଦଳୀୟ ନେତାଙ୍କୁ ଏକାଠି ନ ରଖିଲେ ତାଙ୍କ ପାଇଁ ବିଏମ୍ସି ଦଖଲ କରିବା କାଠିକାର ପାଠ ହୋଇଯିବ।
The post ଭୁବନେଶ୍ବର ବିଜେପି ତିନି ଭାଗ first appeared on Sambad.from ରାଜନୀତି | Sambad https://ift.tt/3s0zTvo
0 Comments