
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଇସ୍ତଫା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ସସ୍ପେନ୍ସ ଜାରି ରହିଛି। ଆସନ୍ତା ଜୁଲାଇ ୨୬ରେ ୟେଦୁରପ୍ପା ଇସ୍ତଫା ଦେଇପାରନ୍ତି। ଜୁଲାଇ ୨୬ରେ ୟେଦୁରପ୍ପାଙ୍କ ଚତୁର୍ଥ କାର୍ଯ୍ୟକାଳର ୨ ବର୍ଷ ପୂର୍ତ୍ତି ହେଉଛି । ଏହାର ଦିନକ ପୂର୍ବରୁ ୟେଦୁରପ୍ପାଙ୍କ ଇସ୍ତଫା ସଂକ୍ରାନ୍ତ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହୋଇପାରେ। ବିଜେପି ମଧ୍ୟ ୟେଦୁରପ୍ପାଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଦେଇଛି। ଦଳୀୟ ସୂତ୍ରରୁ ମିଳିଥିବା
ସୂଚନାନୁଯାୟୀ, ବିଜେପି ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୮ ଜଣଙ୍କ ନାମ ତାଲିକାଭୁକ୍ତ କରିଛି। କିନ୍ତୁ ୭୮ ବର୍ଷୀୟ ଲିଙ୍ଗାୟତ ନେତା ବି ଏସ୍ ୟେଦୁରପ୍ପାଙ୍କ ବିକଳ୍ପ ପାଇବା ବିଜେପି ପାଇଁ କଷ୍ଟକର ବ୍ୟାପାର ହୋଇଛି। ଦଳ ୟେଦୁରପ୍ପାଙ୍କ ବିକଳ୍ପ ଭାବେ ଜଣେ ଲିଙ୍ଗାୟତ ନେତାଙ୍କୁ ହିଁ ବାଛିବ ବୋଲି ଅନୁମାନ କରାଯାଉଛି। ଦଳ ପକ୍ଷରୁ ବଛାଯାଇଥିବା ଲିଙ୍ଗାୟତ ସଂପ୍ରଦାୟର ନେତାଙ୍କ ମଧ୍ୟରେ ରହିଛନ୍ତି ଧାରୱାଡ଼ ପଶ୍ଚିମ ବିଧାୟକ ଅରବିନ୍ଦ ବେଲ୍ଲାଡ, ବିଜୟପୁର ବିଧାୟକ ବସନ୍ତଗୌଡ଼ା ପାଟିଲ୍ ୟତ୍ନଲ, ମୁରଗେଶ ଆର୍ ନିରନି ଏବଂ ବସଭରାଜ ବୋମାଇ । ଏମାନେ ପଞ୍ଚମସାଲି ଲିଙ୍ଗାୟତ ସମ୍ପ୍ରଦାୟର ହୋଇଥିବାରୁ ଏମାନଙ୍କୁ ସୁଯୋଗ ମିଳିପାରେ।
ଆରଏସଏସ୍ ପୃଷ୍ଠଭୂମିର ୟତ୍ନଲଙ୍କର କେନ୍ଦ୍ରମନ୍ତ୍ରୀ ଭାବେ ଅଭିଜ୍ଞତା ରହିଛି। ସେ ମଧ୍ୟ ଉତ୍ତର କର୍ଣ୍ଣାଟକରେ ବେଶ୍ ଲୋକପ୍ରିୟ ଏବଂ ଚଳିତବର୍ଷ ପଛୁଆ ବର୍ଗଙ୍କ ପାଇଁ କୋଟା ଦାବି କରି ପଞ୍ଚମସାଲି ଲିଙ୍ଗାୟତଙ୍କ ଦ୍ବାରା ହୋଇଥିବା ଆନ୍ଦୋଳନରେ ଆଗଧାଡ଼ିରେ ଥିଲେ। ୫୦ ବର୍ଷୀୟ ଇଂଜିନିୟର ବେଲ୍ଲାଡ଼ ଧରୱାଡ଼ର ଜଣେ ବ୍ୟବସାୟୀ ଏବଂ ସେ ମଧ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ତାଲିକାରେ ଅଛନ୍ତି। ବଗଲକୋଟ ବିଲ୍ଗିରୁ ତୃତୀୟ ଥର ବିଧାୟକ ହୋଇଥିବା ସୁଗର ବାରନ୍ ନିରନଙ୍କର କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ଭଲ ସମ୍ପର୍କ ଅଛି। ତାଙ୍କୁ ମଧ୍ୟ ଦଳ ବାଛିପାରେ। କିନ୍ତୁ ଯଦି ୟେଦୁରପ୍ପାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା କାର୍ଯ୍ୟ ଦିଆଯାଏ ତେବେ ସେ ଗୃହମନ୍ତ୍ରୀ ବସଭରାଜ ବୋମାଇଙ୍କ ନାମ ସୁପାରିସ କରିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବିଜେପି ତାଲିକାରେ ଥିବା ଅଣ ଲିଙ୍ଗାୟତ ନାମ ଗୁଡ଼ିକ ହେଉଛି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ସିଟି ରବି। ସେହିପରି ବିଏଲ୍ ସନ୍ତୋଷ, ସିଏନ୍ ଅଶ୍ବଥ ନାରାୟଣ, ଲକ୍ଷ୍ମଣ ସଭାଦି, ଗୋବିନ୍ଦ କାରଜୋଲ ଏବଂ ବିଶ୍ବେଶ୍ବର ହେଗଡ଼େ କାଗେରୀ ମଧ୍ୟ ବିଜେପି ତାଲିକାରେ ଅଛନ୍ତି।
ଅନ୍ୟପକ୍ଷେ ୟେଦୁରପ୍ପା କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣର ପ୍ରଥମ ଦିନରୁ ହିଁ ସେ ଅନେକ ଚ୍ୟାଲେଂଜ ସାମ୍ନା କରିଛନ୍ତି। ଶିବମୋଗ୍ଗାରେ ଆଜି ଏକ ପ୍ରକଳ୍ପର ଉଦ୍ଘାଟନ କରି ୟେଦୁରପ୍ପା କହିଛନ୍ତି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ଅନେକ ଉଦ୍ୟମ କରିଛନ୍ତି। ଜୁଲାଇ ୨୬ରେ ଏକ ବଡ଼ ପରିବର୍ତ୍ତନ ଆସିବ। ଜୁଲାଇ ୨୫ରେ ତାଙ୍କୁ ଦଳୀୟ ନେତୃବୃନ୍ଦ ଯେଉଁ ନିର୍ଦ୍ଦେଶ ଦେବେ ସେହି ନିର୍ଦ୍ଦେଶ ଅନୁଯାୟୀ ସେ ଜୁଲାଇ ୨୬ରୁ କାମ ଆରମ୍ଭ କରିବେ ବୋଲି ୟେଦୁରପ୍ପା କହିଛନ୍ତି।
The post କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ତାଲିକାରେ ୮, ୟେଦୁରପ୍ପାଙ୍କ ବିକଳ୍ପ ପାଇବା କଷ୍ଟକର first appeared on Sambad.from ରାଜନୀତି | Sambad https://ift.tt/3eUfwdZ
0 Comments