ଚଣ୍ଡିଗଡ଼ : କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ପଂଜାବ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି। ଚଣ୍ଡିଗଡ଼ ସ୍ଥିତ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପସ୍ଥିତିରେ ସିଦ୍ଧୁ ପଂଜାବ କଂଗ୍ରେସର ସଭାପତି ଭାବେ ଦାୟିତ୍ବ ନେଇଛନ୍ତି। ରାଜ୍ୟ କଂଗ୍ରେସରେ ଜାରି ଥିବା ସଙ୍କଟର ସମାଧାନ ସହ ସିଦ୍ଧୁ ଆଜି ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ପଂଜାବ କଂଗ୍ରେସର ଅନ୍ୟ ନୂଆ କାର୍ଯ୍ୟକାରୀ ସଭାପତି ସଙ୍ଗତ ସିଂହ ଗିଲଜିଆନ୍‌, ସୁଖୱିନ୍ଦର ସିଂହ ଡାନ୍ନି, ପୱନ ଗୋଏଲ ଏବଂ କୁଲଜିତ ସିଂହ ନାଗରା ମଧ୍ୟ ଆଜି ଦାୟିତ୍ବ ନେଇଛନ୍ତି।

ଦାୟିତ୍ବ ନେବାପରେ ସିଦ୍ଧୁ ତାଙ୍କ ପ୍ରଥମ ଭାଷଣରେ କହିଛନ୍ତି, ମୋର କୌଣସି ଅହଙ୍କାର ନାହିଁ। ସମସ୍ତ ଦଳୀୟ କର୍ମୀଙ୍କ ସହ କାନ୍ଧରେ କା‌ନ୍ଧ ମିଶାଇ ମୁଁ କାମ କରିବି। କର୍ମୀମାନେ ଜଣେ ନେତାର ଆତ୍ମା ସଦୃଶ। ବରିଷ୍ଠମାନଙ୍କୁ ସମ୍ମାନ ଦେବି ଏବଂ ମୋଠାରୁ ଯେଉଁମା‌ନେ ବୟସ‌ରେ ସାନ ସେମାନଙ୍କୁ ଭଲପାଇବା ଦେବି। କଂଗ୍ରେସ ଆଜି ଏକତ୍ରିତ। ସିଦ୍ଧୁ କହିଛନ୍ତି, ଯେଉଁମାନେ ମୋତେ ବିରୋଧ କରୁଥିଲେ ‌ସେମାନେ ମୋର ଉନ୍ନତିରେ ସହଯୋଗ କରିଛନ୍ତି। ଅନ୍ୟପକ୍ଷେ ଅମରିନ୍ଦର ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ଅତୀତର ସ୍ମୃତି ମନେ ପକାଇଥିଲେ। ଅମରିନ୍ଦର କହିଛନ୍ତି, ଯେଉଁବର୍ଷ ସେ ସେନାରେ ଯୋଗ ଦେଲେ ସେହିବର୍ଷ ସିଦ୍ଧୁଙ୍କର ଜନ୍ମ ହୋଇଥିଲା। ମୋ ମା’ ମତେ ରାଜନୀତିରେ ଯୋଗ ଦେବାକୁ କହିଥିବା ବେଳେ ସିଦ୍ଧୁଙ୍କ ବାପା ମତେ ଏଥିରେ ‌ସହଯୋଗ କରିଥିଲେ। ସିଦ୍ଧୁଙ୍କୁ ୬ ବର୍ଷ ହୋଇଥିବା ବେଳେ ମୁଁ ତାଙ୍କ ଘରକୁ ଯାଉଥିଲି ବୋଲି ଅମରିନ୍ଦର କହିଛନ୍ତି। ଦାୟିତ୍ବ ଗ୍ରହଣ ପୂର୍ବରୁ ସିଦ୍ଧୁ ଅମରିନ୍ଦରଙ୍କୁ ଯୋଡ଼ ହସ୍ତରେ ସ୍ବାଗତ କରିଥିଲେ। ଅନେକ ଦିନର ବିବାଦ ପରେ ଆଜି ସିଦ୍ଧୁ ଏବଂ ଅମରିନ୍ଦରଙ୍କୁ ଗୋଟିଏ ମଞ୍ଚ‌ରେ ଦେଖିବାକୁ ମିଳିଛି। ସେମାନେ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ଆଗାମୀ ପଂଜାବ ବିଧାନସଭା ନିର୍ବାଚନ ପାଇଁ ସିଦ୍ଧୁ ତାଙ୍କ ସମସ୍ତ ଶକ୍ତି ଲଗାଇ ଦେବେ ବୋଲି କହିଛନ୍ତି।

The post ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ବ ନେଲେ ସିଦ୍ଧୁ first appeared on Sambad.

from ରାଜନୀତି | Sambad https://ift.tt/3BAptal