ଗାନ୍ଧୀନଗର: ଗୁଜୁରାଟରେ ଆସନ୍ତା ଜୁନ୍ ୧୫ ତାରିଖରୁ ‘ଲଭ୍ ଜିହାଦ’ ଆଇନ ଲାଗୁ ହେବାକୁ ଯାଉଛି । ପ୍ରଥମେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ ଓ ଧର୍ମ ଲୁଚାଇ ବିବାହ କରିବା ଭଳି ଅପରାଧୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ।

ରାଜ୍ୟରେ ଏଭଳି ଆଇନ ଲାଗୁ କରିବା ପଛରେ ଉଦ୍ଦେଶ୍ୟ ହେଉଛି କୌଣସି ବି ଲୋକ ଲୋଭ ଦେଖାଇ କିମ୍ବା ଜବରଦସ୍ତି କୌଣସି ଲୋକର ଧର୍ମ ପରିବର୍ତ୍ତନ କରିପାରିବ ନାହିଁ । ଯଦି ଏଭଳି ମାମଲା ସାମ୍ନାକୁ ଆସେ ତାହେଲେ ଏହି ଆଇନ ବଳରେ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି । ଏହି ଆଇନ ପାରିତ ହେବା ବେଳେ ଗୁଜୁରାଟ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିରୋଧୀ କଂଗ୍ରେସ ଏହାକୁ ପାରିତ ନକରିବାକୁ ଦାବି କରିଥିବା ବେଳେ ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ଜାଡେଜା କହିଥିଲେ ଯେ ଯେଉଁ ଲୋକ ମଥାରେ ତିଳକ ଲଗାଇ, ହାତରେ ସୂତା ବାନ୍ଧି ହିନ୍ଦୁ କିମ୍ବା ଅନ୍ୟ ଧର୍ମର ଝିଅମାନଙ୍କ ସହ ଛଳ କପଟ କରି ବିବାହ କରୁଛନ୍ତି ସେମାନଙ୍କୁ ଦଣ୍ଡିତ କରିବାକୁ ଏଭଳି ଆଇନ ଅଣାଯାଉଛି।

‘ଲଭ୍ ଜିହାଦ’ ଆଇନ ମୁତାବକ ଧର୍ମ ଲୁଚାଇ ବିବାହ କରିବା ଲୋକଙ୍କୁ ଦୋଷୀ ଭାବେ ଗ୍ରହଣ କରାଯାଇ ସେମାନଙ୍କୁ ୫ ବର୍ଷ ଜେଲ ଓ ୨ ଲକ୍ଷ ଟଙ୍କା ଜରିମାନାର ପ୍ରାବଧାନ ରହିଛି । ଏହାସହ ବିବାହ କରିଥିବା ଝିଅଟି ଜଦି ନାବାଳିକା ହୋଇଥିବ ତେବେ ଦୋଷୀକୁ ୭ ବର୍ଷ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯିବ ।

The post ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ first appeared on Sambad.

from ରାଜନୀତି | Sambad https://ift.tt/3uW0Gc2