
ନୂଆଦିଲ୍ଲୀ: ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଦର | କରୋନା ମାଡ ସାଙ୍ଗକୁ ପେଟ୍ରୋଲର ହାଉଜାଉ ମୂଲ୍ୟକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି | କେଉଁଠି ଲିଟର ପିଛା ଶହେ ଛୁଇଁଛି ତ କେଉଁଠି ପୁଣି ଶହେ ଉପରେ ପେଟ୍ରୋଲ ପହଂଚିଛି | ଏହାରି ଭିତରେ ଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ଓ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ | ଅନ୍ୟପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି | ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୋଦୀଙ୍କ ବାସଭବନରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି। ତିନି ନେତାଙ୍କ ମଧ୍ୟରେ ବୈଠକ ଚାଲିଛି।
ସୂଚନାନୁସାରେ ବୈଠକରେ କେନ୍ଦ୍ର ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ଗୋଟିଏ ପରେ ଗୋଟିଏ ସମୀକ୍ଷା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ସହ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଛି | ଆସନ୍ତା କିଛି ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଏହା ସହିତ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
ଆଜି କେନ୍ଦ୍ର ମନ୍ତ୍ରୀ ଭି.କେ ସିଂଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରାଯାଇଥିବାବେଳେ ଆସନ୍ତାକାଲି ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ଗଜେନ୍ଦ୍ର ସିଂ ଶେଖାଓତ, ମହେନ୍ଦ୍ର ନାଥ ପାଣ୍ଡେ, ହରଦୀପ ସିଂହ ପୁରୀଙ୍କ ସହ ତାଙ୍କ ମନ୍ତ୍ରାଳୟର କାର୍ଯ୍ୟ ସମୀକ୍ଷା ମୋଦୀ କରିବେ। ସୂଚନା ଥାଉ କି ଯେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ଦେଶର ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କରୋନା ମହାମାରୀ ସମୟରେ ପରିଚାଳନା ଅଭାବରୁ ସରକାର ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି |
The post ଆସନ୍ତାକାଲି ଧର୍ମେନ୍ଦ୍ରଙ୍କ ପାଳି! first appeared on Sambad.from ରାଜନୀତି | Sambad https://ift.tt/3zks1bv
0 Comments