
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ପୁନଃସଂରଚନା ହେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ବପୂର୍ଣ୍ଣ ବୈଠକ ନିମନ୍ତେ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଉପସ୍ଥିତ ହୋଇଛନ୍ତି।
ଲକ୍ଷ୍ନୌରେ କେତେଗୁଡ଼ିଏ ସମୀକ୍ଷା ବୈଠକ ହେବା ପରେ ‘ବିଜେପି’ର ବିଶିଷ୍ଟ ନେତାମାନଙ୍କୁ ଭେଟିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କ ଦିଲ୍ଲୀ ଆଗମନ ସୂଚନା ଦେଉଛି କି, ଉତ୍ତର ପ୍ରଦେଶରେ ମନ୍ତ୍ରୀସ୍ତରୀୟ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତର ପ୍ରଦେଶ ବିଜେପି ନେତାମାନଙ୍କ ସହ ବୈଠକ ଏବଂ ସାମ୍ପ୍ରତିକ ସମୟରେ ଚାଲିଥିବା କଳ୍ପନାଜଳ୍ପନା ସଂକ୍ରାନ୍ତ ସଦ୍ୟତମ ରିପୋର୍ଟ ଦେବା ଉଦ୍ଦେଶ୍ୟରେ ଯୋଗୀ ଆଦିତ୍ୟନାଥ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି।
ଗୁରୁବାର ଦିନ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ୯୦ ମିନିଟ୍ ଧରି ଆଲୋଚନା କରିଥିଲେ। ଶୁଣାଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆଉ ବର୍ଷେରୁ କମ୍ ଥିବା ବେଳେ ଦଳର ନେତାମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଦୂର କରିବାକୁ ‘ବିଜେପି’ ଉଦ୍ୟମ ଚଳାଇଛି।
ବୁଧବାର ରାତିରେ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ରାଜ୍ୟ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ ଏବଂ ରାଜ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କ ବୈଠକ କରିଥିଲେ।
ଏହାଛଡ଼ା, କରୋନାଭାଇରସ୍ ସଂକ୍ରମଣ ରୋକିବାରେ ଉତ୍ତର ପ୍ରଦେଶ ସରକାର ବ୍ୟର୍ଥ ହୋଇଛନ୍ତି ବୋଲି ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ ଚାଲିଛି।
The post ଉତ୍ତର ପ୍ରଦେଶ ‘ବିଜେପି’ରେ ପ୍ରାକ୍-ନିର୍ବାଚନ କନ୍ଦଳ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ first appeared on Sambad.from ରାଜନୀତି | Sambad https://ift.tt/3xbNTnw
0 Comments