କୋଲକାତା: ନାରଦା ଷ୍ଟିଙ୍ଗ୍ ଟେପ୍ ମାମଲାରେ କୋଲକାତା ହାଇକୋର୍ଟ ଚାରିଜଣ ତୃଣମୂଳ କଂଗ୍ରେସ ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତେବେ ଜାମିନ ଦେବା ସହ ହାଇକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଏହି ୪ ଜଣ ନେତାଙ୍କୁ ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ହାଇକୋର୍ଟଙ୍କ ସର୍ତ୍ତ ମୁତାବକ ଏହି ୪ ଜଣ ନେତା ତଦନ୍ତରେ ସିବିଆଇକୁ ସହଯୋଗ କରିବେ। ବିଚାରାଧୀନ ମାମଲା ଉପରେ କୌଣସି ସାମ୍ବାଦିକ ସମ୍ମିଳନୀ କରିବେ ନାହିଁ। ମେ ୧୭ ତାରିଖରେ ପଶ୍ଚିମବଙ୍ଗ ସରକାରଙ୍କ ଦୁଇଜଣ ବରିଷ୍ଠ ମନ୍ତ୍ରୀ, ଜଣେ ବିଧାୟକ ତଥା କୋଲକାତାର ପୂର୍ବତନ ମେୟରଙ୍କୁ ସିବିଆଇ ଗିରଫ କରିଥିଲା |

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୭ ମସିହାର ନାରଦା ଷ୍ଟିଙ୍ଗ ମାମଲାର ତଦନ୍ତ କରୁଥିବା ସିବିଆଇ ଏମାନଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ, ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଚାରିଜଣଙ୍କୁ ମେ ୧୭ ରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ହାଇକୋର୍ଟର ଏକ ବେଞ୍ଚ ସେହି ଦିନ ରାୟରେ ସ୍ଥଗିତାଦେଶ ଜାରି କରିଥିଲେ ଯାହା ପରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ସୂଚନା ଥାଉ କି ୨୦୧୪ ରେ,ନାରଦା ଟିଭି ନ୍ୟୁଜ୍ ଚ୍ୟାନେଲର ମାଥ୍ୟୁ ସାମୁଏଲଙ୍କ ଦ୍ୱାରା ଏକ ଷ୍ଟିଙ୍ଗ୍ ଅପରେସନ୍ କରାଯାଇଥିଲା, ଯେଉଁଥିରେ ତୃଣମୂଳ କଂଗ୍ରେସର ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଲାଭ ବଦଳରେ କମ୍ପାନୀର ପ୍ରତିନିଧିଙ୍କଠାରୁ ଟଙ୍କା ନେଇଥିବାର ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗରେ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଟେପ୍ ସାର୍ବଜନୀନ କରାଯାଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ ରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ |

The post ନାରଦା ଷ୍ଟିଙ୍ଗ ଟେପ ମାମଲାରେ ୪ ଜଣ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ମିଳିଲା ଜାମିନ first appeared on Sambad.

from ରାଜନୀତି | Sambad https://ift.tt/3fw7DfM