
ଜୟପୁର: ଗୁରୁବାର ରାତିରେ ରାଜସ୍ଥାନର ଭରତପୁର ବିଜେପି ସାଂସଦ ରଞ୍ଜିତା କୋଲିଙ୍କ କାର୍ ଉପରକୁ ଅଜ୍ଞାତ ଦୁର୍ବୃତ୍ତମାନେ ଟେକାପଥର ଫିଙ୍ଗିବା ସହ କାର୍କୁ ଲୁହାଛଡ଼ରେ ପିଟାପିଟି କରିଛନ୍ତି। ଗୋଟାଏ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଉଥିବା ବେଳେ ଭରତପୁର ଅନ୍ତର୍ଗତ ଧରସୋନି ଗାଁରେ ସାଂସଦ ରଞ୍ଜିତା କୋଲିଙ୍କୁ ଆକ୍ରମଣ କରାଯାଇଥିଲା।
ଗୁରୁବାର ରାତି ପ୍ରାୟ ୧୧:୩୦ରେ ଗୋଟାଏ କାର୍ରେ ଆସିଥିବା ଅନ୍ୟୂନ ୫ଜଣ ଅଜ୍ଞାତ ବ୍ୟକ୍ତି ବାଟରେ ସାଂସଦ ରଞ୍ଜିତାଙ୍କ କାର୍କୁ ଅଟକାଇ ଟେକାପଥର ଫିଙ୍ଗିବା ସହ ଲୁହାଛଡ଼ରେ ପିଟିବାରୁ କାର୍ର କାଚ ଭାଙ୍ଗିଯାଇଥିଲା। କାର୍ରେ ଯାତ୍ରା କରୁଥିବା ସାଂସଦ ରଞ୍ଜିତା ଅଜ୍ଞାନ ହୋଇଯିବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ, ସାଂସଦ ରଞ୍ଜିତା ଓ ତାଙ୍କ ସହଯୋଗୀମାନେ ଆହତ ହୋଇ ନ ଥିବାରୁ ତୁରନ୍ତ ହସ୍ପିଟାଲ୍ରୁ ‘ଡିସ୍ଚାର୍ଜ’ ହୋଇଥିଲେ।
ସୂଚନାଯୋଗ୍ୟ, ଶ୍ବଶୁର ଗଙ୍ଗାରାମ କୋଲି ବାୟାନା ନିର୍ବାଚନ ମଣ୍ଡଳୀରୁ ୩ ଥର ସାଂସଦ ହୋଇଥିବା ବେଳେ ବୋହୂ ରଞ୍ଜିତା କୋଲି ପ୍ରଥମ ଥର ପାଇଁ ଭରତପୁରର ସାଂସଦ ହୋଇଛନ୍ତି।
କୋଭିଡ୍+ ରୋଗୀମାନଙ୍କର ରୀତିମତେ ଚିକିତ୍ସା ହେଉଛି କି, ନହିଁ ଯାଞ୍ଚ କରିବା ଲାଗି ଜିଲ୍ଲାରେ ଥିବା ସମସ୍ତ ଡାକ୍ତରଖାନା ପରିଦର୍ଶନରେ ଯାଉଛନ୍ତି ବୋଲି ସାଂସଦ ରଞ୍ଜିତା କହିଛନ୍ତି। ସେ କହିଛନ୍ତି, ଆକ୍ରମଣ ପାଇଁ ମୁଁ କାହାରି ଉପରେ ଅହନ୍ତା ରଖୁନାହିଁ। କିନ୍ତୁ, ପୁଲିସ ପୂରା ଘଟଣାର ତଦନ୍ତ କରିବ।
ରାଜସ୍ଥାନର ବିଜେପି ସଭାପତି ସତୀଶ ପୂନିଆ ଉପରୋକ୍ତ ଘଟଣାକୁ ନିନ୍ଦା କରିବା ସହ ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଅଶୋକ ଗେହଲଟ୍ଙ୍କ ଶାସନରେ ରାଜ୍ୟ ଅପରାଧର ରାଜଧାନୀ ପାଲଟି ଗଲାଣି।
The post ରାଜସ୍ଥାନର ଭରତପୁର ବିଜେପି ସାଂସଦ ରଞ୍ଜିତା କୋଲିଙ୍କ କାର୍ ଉପରେ ଟେକାପଥର ଓ ଲୁହାଛଡ଼ ମାଡ଼ first appeared on Sambad.from ରାଜନୀତି | Sambad https://ift.tt/2Tkt8Hz
0 Comments