
କେଶପୁର: ଗରୁବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଛୁରିଭୁସି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।
ପୁଲିସ କହିବା ଅନୁସାରେ, ମୃତ ବ୍ୟକ୍ତିଜଣକ ହେଉଛନ୍ତି ଉତ୍ତମ ଦୋଲୁଇ। ସେ କେଶପୁର ଅନ୍ତର୍ଗତ ହରିହରପୁରର ଏକ କ୍ଲବ୍ରେ ଥିବା ବେଳେ ତୀକ୍ଷ୍ଣ ଅସ୍ତ୍ରଦ୍ୱାରା ୧୦/୧୫ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା କଥା କୁହାଯାଉଛି। ମିଦନାପୁର ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ମୃତ ଉତ୍ତମଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଏ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣରେ ଭୋଟର୍ମାନଙ୍କୁ ଭୟଭୀତ କରିବା ଲାଗି ବିଜେପିର ଗୁଣ୍ଡାମାନେ ତାଙ୍କୁ (ଉତ୍ତମ) ଆକ୍ରମଣ କରିଛନ୍ତି।
କିନ୍ତୁ, ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି କହିଛି, କେଶପୁର ଆସନ ଜିଣିବୁ ବୋଲି ସୁନିଶ୍ଚିତ। ତେଣୁ, ସେଠାରେ ଆମେ ଗଣ୍ଡଗୋଳ କରିବାର କୌଣସି କାରଣ ନାହିଁ।
ଘଟଣା ସଂକ୍ରାନ୍ତରେ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିବା କଥା ନିର୍ବାଚନ କମିସନ୍ କହିଛନ୍ତି।
ଏଭଳି ଅଘଟଣ ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ହଠାତ୍ ହିଂସାକାଣ୍ଡ ଘଟିବା ଆଶଙ୍କା କରି କେଶପୁରରେ ନିରାପତ୍ତା ବଳ ମୁତୟନ କରାଯାଇଛି।
ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରାଯାଇଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଆଜି ସକାଳ ୭ଟାରେ କେଶପୁରରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିମନ୍ତେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।
ସଦ୍ୟତମ ସୂଚନା ଅନୁସାରେ, ସକାଳ ୯ଟା ସୁଦ୍ଧା ଆସାମରେ ୧୦.୫୧% ଏବଂ ପଶ୍ଚିମବଙ୍ଗରେ ୧୩.୧୪% ମତଦାନ ହୋଇଥିବା କଥା ନିର୍ବାଚନ କମିସନ୍ କହିଛି।
The post ପଶ୍ଚିମବଙ୍ଗର କେଶପୁରରେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଛୁରିଭୁସି ହତ୍ୟା କରିଥିବା ଅଭିଯୋଗରେ ୭ ଗିରଫ first appeared on Sambad.from ରାଜନୀତି | Sambad https://ift.tt/2OfnEMe
0 Comments