ଭୁବନେଶ୍ବର : ପିପିଲି ବିଧାନସଭା ଉପନିର୍ବାଚନ ରଣନୀତିକୁ ବିଜେଡି ଆଉ ଟିକେ ସଶକ୍ତ କରିଛି। ଶେଷରେ ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ସାମ୍ନାକୁ ଆସିଛନ୍ତି। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ପିପିଲି ପାଇଁ ଦଳର ପର୍ଯ୍ୟବେକ୍ଷକ ଥିବା ବିଧାୟକ ପ୍ରତାପ ଦେବଙ୍କୁ ମିଶାଇ ଏହି ୪ଜଣ ବରିଷ୍ଠ ନେତା ଉପନିର୍ବାଚନର ପ୍ରତ୍ୟକ୍ଷ ପରିଚାଳନା କରିବେ।

ପୂର୍ବତନ ମନ୍ତ୍ରୀ ଶ୍ରୀ ମହାନ୍ତି ପୁରୀ ଜିଲ୍ଲା ସଭାପତି ଅଛନ୍ତି। ଟିକେଟ୍ ଆବଣ୍ଟନ ବେଳେ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ହେଲେ ଦଳ ତାଙ୍କୁ ବିଶେଷ କୌଣସି କାର୍ଯ୍ୟରେ ଏଯାଏ ଲଗାଇନଥିଲା। ସେହିଭଳି ଟିକେଟ୍ ବଣ୍ଟନ ଦିନ ସଂଜୟ ଦାସବର୍ମା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ ଓ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେବା ବେଳେ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଉପନିର୍ବାଚନ ପାଇଁ ପ୍ରଚାର ଜମିଥିଲେ ହେଁ, ସେ ସକ୍ରିୟ ନଥିଲେ।

ଧୀରେ ଧୀରେ ପିପିଲି ନିର୍ବାଚନମଣ୍ଡଳୀ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଘଟୁଛି ଓ ଏକ ବଡ଼ ଲଢ଼େଇ ଆଡ଼କୁ ଉପନିର୍ବାଚନ ଯାଉଛି। ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ପରିବର୍ତ୍ତନ ସ୍ଲୋଗାନକୁ ବିଜେଡିର ନବାଗତ ଚେହେରା ଓ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପ୍ରତି ଥିବା ଅନୁକମ୍ପା ଏବଂ ତାଙ୍କ ଅଧୁରା ସ୍ବପ୍ନ ପୂରଣ ନାରା ଏବେ ନିର୍ବାଚନୀ ସ୍ଲୋଗାନ ପାଲଟିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତିକୁ ଭୋଟର ଅପେକ୍ଷା କରୁଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ଏହା ପୂର୍ବରୁ ବିଜେଡି ଆଜି ଲଢ଼େଇ ପାଇଁ ପାଗ ଭିଡିଛି।

ପୂର୍ବରୁ ପିପିଲି ବ୍ଲକ ଦାୟିତ୍ୱ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଦିଆଯାଇଥିଲା। ଡେଲାଙ୍ଗ ବ୍ଲକ ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଓ ପିପିଲି ଏନଏସି ପାଇଁ ସୁଧୀର ସାମଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଠାରୁ ଆରମ୍ଭକରି ଦଳର ପ୍ରାୟ ସବୁ ପ୍ରମୁଖ ନେତା ୪୬ ପଞ୍ଚାୟତ ଏବଂ ଏନ୍ଏସି ଅନ୍ତର୍ଗତ ୧୬ଟି ୱାର୍ଡ ଦାୟିତ୍ବରେ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୩ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି। ୧୭ ତାରିଖ ଦିନ ଏହି ଉପନିର୍ବାଚନ ଲାଗି ମତଦାନ ହେବ।

The post ପିପିଲି ବିଧାନସଭା ଉପନିର୍ବାଚନ : ମହେଶ୍ବର, ଦେବୀ, ସଂଜୟ, ପ୍ରତାପଙ୍କୁ ପିପିଲି ଦାୟିତ୍ବ first appeared on Sambad.

from ରାଜନୀତି | Sambad https://ift.tt/39tEXk8