କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ମାମଲା ରୁଜୁ କରିଛି ପୁଲିସ । ଏପଟେ ଆଜି ତୃଣମୂଳ କଂଗ୍ରେସ କର୍ମୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଟିଏମସି ଦାବି କରିଛି । ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୂରା ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ବିଜେପି କହିଛି ଯେ ମମତାଙ୍କ ଉପରେ ଆକ୍ରମଣ ଘଟଣା ସନ୍ଦେହପୂର୍ଣ୍ଣ ଏବଂ ଭୋଟରଙ୍କ ସହାନୁଭୁତି ସାଉଁଟିବାକୁ ଏହା ସୁଚିନ୍ତିତ ରଣନୀତି ହୋଇଥାଇ ପାରେ।

ସେପଟେ, ମମତା ବାନାର୍ଜୀଙ୍କ ଉପରେ ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିସନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ଗତକାଲି ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମର ବିରୁଲିଆ ବଜାର ନିକଟରେ କିଛି ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ମମତା । ଏଥିରେ ମମତାଙ୍କ ଗୋଡରେ ଆହତ ଲାଗିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।

ଗତକାଲି ଆହତ ହେବା ପରେ ତୁରନ୍ତ ତାଙ୍କୁ କୋଲକତା ଅଣାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏପଟେ ନନ୍ଦିଗ୍ରାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଛାନଭିନ୍ କରାଯାଉଛି । ଘଟଣା ଘଟିଥିବା ସ୍ଥାନରେ ଥିବା ଏକ  ମିଠା ଦୋକାନୀଙ୍କୁ ଏ ସଂକ୍ରାନ୍ତରେୀ ପଚରା ଉଚରା କରିଛନ୍ତି ପୂର୍ବ ନନ୍ଦିଗ୍ରାମ ଜିଲ୍ଲାପାଳ ବିଭୁ ଗୋୟଲ । ମିଠା ଦୋକାନର ମାଲିକ ନିମାଇ ମାଇତିଙ୍କ କହିବା ଅନୁସାରେ ଗତକାଲି ବିରୁଲିଆ ବଜାରରେ ମମତା ବାନାର୍ଜୀ ଗୋଟିଏ ମନ୍ଦିରରୁ ଅନ୍ୟ ଏକ ମନ୍ଦିରକୁ ଯାଉଥିଲେ । ରାସ୍ତାର ଏକ ମୋଡରେ କାର ଦ୍ୱାର ଅଳ୍ପ ଖୋଲି ବାହାରକୁ ବାହାରି ମମତା ହାତ ହଲାଉଥିଲେ । ଏହି ସମୟରେ କିଛି ଲୋକ ଦୌଡିଯିବାରୁ କାରର ଡୋର ମମତାଙ୍କ ଗୋଡରେ ବାଡେଇ ହୋଇଥିବା କହିଛନ୍ତି ନିମାଇଁ ମାଇତି।

The post ମମତା ଆହତ ହେବା ଘଟଣାରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ତୃଣମୂଳ କଂଗ୍ରେସ first appeared on Sambad.



from ରାଜନୀତି – Sambad https://ift.tt/3t91kmi