
କୋଲ୍କାତା: ନନ୍ଦୀଗ୍ରାମରେ ଆହତ ହୋଇ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।
‘ଆଇପିଜିଏମ୍ଆର୍ ଆଣ୍ଡ୍ ଏସ୍ଏସ୍କେଏମ୍’ର ଡାକ୍ତର ଏମ୍. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।
ପ୍ରାପ୍ତ ସୂଚନା ଅନୁସାରେ, ନ୍ୟୁରୋଲୋଜିକାଲ୍ ଟେଷ୍ଟ୍ ଓ ବାମ ପାଦ ଏକ୍ସ-ରେ କରାଯିବା ସମେତ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇଛି। ‘ଏମ୍ଆର୍ଆଇ’ ଲାଗି ବିଳମ୍ବିତ ରାତ୍ରୀରେ ତାଙ୍କୁ ‘ଏସ୍ଏସ୍କେଏମ୍’ର ‘ବାଙ୍ଗୁର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସେସ୍’କୁ ନିଆଯାଇଥିଲା। ତାଙ୍କର ଗୋଡ଼ ଫୁଲି ଦରଜ ହୋଇଥିବା କୁହାଯାଉଛି।
ମମତା ବାନାର୍ଜୀ ଡାକ୍ତରଖାନାରେ ଥିବା ବେଳର ଏକ ଫଟୋ ଟୁଇଟ୍ କରି ଅଭିଷେକ ବାନାର୍ଜୀ ଲେଖିଛନ୍ତି, ମେ ୨ ତାରିଖ ରବିବାର ଦିନ ବଙ୍ଗବାସୀଙ୍କ କ୍ଷମତା ଦେଖିବାକୁ ପ୍ରସ୍ତୁତ ରୁହ ‘ବିଜେପି’।
ସୂଚନାଯୋଗ୍ୟ, ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ନନ୍ଦୀଗ୍ରାମ ଯାଇଥିଲେ। ସେଠାରେ ଚାରି ପାଞ୍ଚଜଣ ବ୍ୟକ୍ତି ତାଙ୍କୁ କାର୍ ଭିତରକୁ ଠେଲି ଦେବା ସହ କାର୍ର ଡୋର୍ ବନ୍ଦ କରି ଦେଇଥିଲେ। ସେତେବେଳେ ଆଖପାଖରେ କୌଣସି ପୁଲିସ କର୍ମଚାରୀ ନ ଥିଲେ।
ନନ୍ଦୀଗ୍ରାମର ସାଂସଦ ସୁଖେନ୍ଦୁଶେଖର ରାୟ କହନ୍ତି, ଏକ ମନ୍ଦିରରେ ପୂଜା ସାରି ସନ୍ଧ୍ୟା ପ୍ରାୟ ୬.୧୫ରେ ବିରୁଲିଆ ଅଞ୍ଚଳରୁ ବାହାରୁଥିବା ବେଳେ କେତେକ ଅପରିଚିତ ବ୍ୟକ୍ତି ତାଙ୍କୁ କାର୍ ଭିତରକୁ ଠେଲିଦେବା ସହ ଜବରଦସ୍ତି କାର୍ର ଡୋର୍ ବନ୍ଦ କରି ଦେଇଥିଲେ।
ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ଆହତ ମମତାଙ୍କୁ ଭେଟିବାକୁ ବୁଧବାର ରାତିରେ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ ଯାଇଥିଲେ। ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଶହ ଶହ ‘ତୃଣମୂଳ କଂଗ୍ରେସ’ ସମର୍ଥକ ‘ଫେରିଯାଅ’ ବୋଲି ଚିତ୍କାର କରିଥିଲେ।
The post ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧରେ ଆଘାତ ଲାଗିଛି: ଡାକ୍ତର first appeared on Sambad.
from ରାଜନୀତି – Sambad https://ift.tt/38t3c13
0 Comments