
ସୁନ୍ଦରଗଡ଼: ବିଧାନସଭାରେ ଆତ୍ମାହୁତି ଦେବେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ସୁନ୍ଦରଗଡ଼ରେ ଶହ ଶହ ଚାଷୀଙ୍କ ଧାନ କିଣାଯାଉ ନଥିବା ଓ ମଣ୍ଡିଗୁଡ଼ିକରେ ଦଲାଲି ଚାଲୁଥିବା ଅଭିଯୋଗ କରି ଶ୍ରୀମତୀ ଟେଟେ ଗଣମାଧ୍ୟମ ଆଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଏପରି ଧମକ ଦେଇଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ସେ ଆତ୍ମଦାହ କରିବେ ବୋଲି ପ୍ରକାଶ କରିବା ଚର୍ଚ୍ଚାର ବିଷୟ ପାଲଟିଛି।
ସୁନ୍ଦରଗଡ଼ରେ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଟୋକନ ଥାଇ ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଉଠୁ ନଥିବା ବେଳେ ଦଲାଲଙ୍କ ଧାନ ଅତି ସହଜରେ କିଣି ନେଉଛନ୍ତି ମଣ୍ଡି କର୍ତ୍ତୃପକ୍ଷ। ଚାଷୀମାନେ ମଣ୍ଡିରେ ଧାନ ଆଣି ରଖିଥିଲେ ମଧ୍ୟ ଏଠି ମିଲ ମାଲିକ ଓ ଅସାଧୁ କର୍ମଚାରୀଙ୍କ ମର୍ଜିରେ ଚାଲିଛି ଧାନ କିଣା। ଏସ୍ଥିତିରେ ଜିଲ୍ଲାର ଶହ ଶହ ଚାଷୀ ଧାନ ବିକି ନପାରି ମୁଣ୍ଡରେ ହାତ ଦେଇଛନ୍ତି। ଆଜି ଦଲାଲିକୁ ନେଇ ଚର୍ଚ୍ଚାରେ ଥିବା ମହୁଲପାଲି କ୍ୟମ୍ପସରେ ୫୦ରୁ ଅଧିକ ଚାଷୀମାନେ ବିଧାୟିକାଙ୍କୁ ଭେଟି ଅଭିଯୋଗ କରିଥିଲେ। ଏପରିକି ଧାନ ନେଇ ବିଧାୟିକାଙ୍କ ଘରେ ଆଗରେ ଗଦା କରିବେ ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବିଷୋଦଗାର କରିଛନ୍ତି ବିଧାୟିକା କୁସୁମ।
ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୦୨୦ ନଭେମ୍ଵର ୨୩ ତାରିଖରୁ ଆରମ୍ଭ ହୋଇଥିଲା ଧାନ ସଂଗ୍ରହ। ଚଳିତ ବର୍ଷ ଜିଲ୍ଲାରୁ ୧୩୪ଟି ମଣ୍ଡିରେ ୨୨.୧୦ ଲକ୍ଷ କ୍ଵିଣ୍ଟାଲ ଧାନ କିଣାଯାଇଥିବା ଦର୍ଶାଯାଇଛି। ତେବେ ଜିଲ୍ଲାର ଅନେକ ମଣ୍ଡିରେ ଚାଷୀଙ୍କ ପାଖରେ ଟୋକନ ଥିଲେ ମଣ୍ଡିରେ ଟାର୍ଗେଟ ନାହିଁ, ଟାର୍ଗେଟ୍ ଥିଲେ ଟୋକନ ନଥିବା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି। ମହୁଲପାଲି ଲ୍ୟାମ୍ପ୍ସରେ ଟୋକନ ଥାଇ ମଧ୍ୟ ଶତାଧିକ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଚାଷୀ ନାମରେ ଦଲାଲ ଶହ ଶହ କ୍ବିଣ୍ଟାଲ ଧାନ ବିକ୍ରୟ କରିଥିଲେ। ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଅନେକ ବେଆଇନ କାର୍ଡ ତିଆରି କରି ସଂଗ୍ରହ ହୋଇଥିଲା ଧାନ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜିଲ୍ଲାପାଳ ତଦନ୍ତ କରି ଲ୍ୟାମ୍ପସ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ। ଏହା ମଧ୍ୟରେ ମହୁଲପାଲିର ଗୋଲାପଚନ୍ଦ୍ର ପଟେଲ, ନରେଶ କୁମାର ନାଏକ, ନାରାୟଣ ପଟେଲ, ହାରାଚାନ୍ଦ ପଟେଲ, ଲିଙ୍ଗରାଜ ପଟେଲ, ଅନିଲ କୁମାର ସାହୁ, ଅଶୋକ ପଟେଲ, ନରେଶ ନାଏକ, କୃଷ୍ଣଚନ୍ଦ୍ର ନାଏକ, ଅତୁଲ୍ୟ କୁମ୍ଭାର, ପ୍ରଫୁଲ୍ଲ କୁମାର ପଟେଲ, ଦୁବରାଜ ନାଏକ, ରାମକିଶୋର ପଟେଲ ପ୍ରମୁଖ ୫୦ରୁ ଅଧିକ ଚାଷୀ ଟୋକନ ପାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଟାର୍ଗେଟ ଆସିନି କହି ଧାନ ନେବାକୁ ଦିନ ଗଡ଼ାଇନେଲେ। ମାସେ ପରେ ଟୋକନର ବୈଧତା ଶେଷ ହୋଇଯାଇଥିବା ବେଳେ ଆଉ ଧାନ ଉଠିବାର ସମ୍ଭାବନା ନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟପଟେ ଧାନ ବିକ୍ରିରେ ଥିବା ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ଶ୍ରୀମତୀ ଟେଟେ ପ୍ରଶ୍ନ ଉଠାଇବା ପରେ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏପରିକି ବିଭାଗୀୟ ମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ ଜଣେ ଚାଷୀ ବି ଧାନ ବିକିବାରୁ ବଞ୍ଚିତ ହେବେ ନାହିଁ, ସମସ୍ତଙ୍କ ଧାନ ସଂଗ୍ରହ କରାଯିବ ବୋଲି କହିଥିଲେ। କିନ୍ତୁ ମନ୍ତ୍ରୀ, ସରକାର ନିଜ ପ୍ରତିଶ୍ରୁତି ଭୁଲି ଯାଇଥିବା ବେଳେ ଚାଷୀ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ଆସନ୍ତା ୧୨ରେ ହେବାକୁ ଥିବା ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ଆତ୍ମାହୁତି ଦେବେ ବୋଲି ବିଧାୟିକା ଚେତାବନୀ ଦେଇଛନ୍ତି।
The post ସୁନ୍ଦରଗଡ଼ରେ ଚାଷୀଙ୍କ ଧାନ ଉଠୁନି, ବିଧାୟିକା କୁସୁମ ଟେଟେଙ୍କ ଆତ୍ମାହୁତି ଧମକ first appeared on Sambad.
from ରାଜନୀତି – Sambad https://ift.tt/3cjqJCW
0 Comments