କୋଲ୍‌କାତା: ଆପଣମାନେ ଜାଣିଥିବେ ଗତରାତିରେ ‘ହ୍ଵାଟ୍‌ସ୍‌ଆପ୍‌’, ‘ଫେସ୍‌ବୁକ୍‌’ ଏବଂ ‘ଇନ୍‌ଷ୍ଟାଗ୍ରାମ୍‌’ ୪୦ ମିନିଟ୍‌ ଧରି ଡାଉନ୍‌ ଥିଲା। ସମସ୍ତେ ପ୍ରାୟ ଘଣ୍ଟା ପର୍ଯ୍ୟନ୍ତ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। କିନ୍ତୁ, ପଶ୍ଚିମବଙ୍ଗରେ ବିକାଶ, ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ୫୦ ବର୍ଷ ଧରି ‘ଡାଉନ୍‌’ ରହିଛି ବୋଲି ଆଜି ଖଡ଼ଗପୁରରେ ଆୟୋଜିତ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଉଦ୍‌ବୋଧନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଲୋକମାନଙ୍କ ମନୋଭାବରେ ଯେଉଁ ପରିବର୍ତ୍ତନ ଆସିଛି, ସେଥିରୁ ଜଣାପଡୁଛି ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବ। ବିଜେପିକୁ ଆଶୀର୍ବାଦ ଦେବାକୁ ଆପଣମାନେ ବହୁସଂଖ୍ୟାରେ ଆସିଥିବାରୁ ମୁଁ ଗୌରବାନ୍ଵିତ ମନେକରୁଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ‘ବେଙ୍ଗଲ୍‌ ମେ ଇସ୍‌ ବାର୍‌ ବିଜେପି ସର୍‌କାର୍‌’।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ପଶ୍ଚିମବଙ୍ଗ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମଦଳଙ୍କୁ ସୁଯୋଗ ଦେଇଛି। ଏଥର ବିଜେପିକୁ ସୁଯୋଗ ଦେଲେ ଅସଲ ପରିବର୍ତ୍ତନ କ’ଣ ତାହା ଆମେ ଦେଖାଇ ଦେବୁ। ଆପଣମାନେ କଂଗ୍ରେସ ଓ ବାମଦଳ କରିଥିବା ଧ୍ୱଂସ ସାଧନ ଦେଖିଛନ୍ତି। ତୃଣମୂଳ କଂଗ୍ରେସ ଆପଣମାନଙ୍କର ସ୍ୱପ୍ନଭଙ୍ଗ କରିଛି। ଗତ ୭୦ ବର୍ଷ ମଧ୍ୟରେ ଆପଣମାନେ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି। ଆମକୁ ମାତ୍ର ୫ ବର୍ଷ ସମୟ ଦିଅନ୍ତୁ, ଆମେ ବଙ୍ଗକୁ ୭୦ ବର୍ଷର ଧ୍ୱଂସାବଶେଷରୁ ମୁକ୍ତ କରିବୁ। ଆପଣମାନଙ୍କ ପାଇଁ ଆମେ ଆତ୍ମବଳି ଦେବୁ।

Image Courtesy of Zee News

ସେ ପୁଣି କହିଲେ, ଶ୍ୟାମପ୍ରସାଦ ମୁଖାର୍ଜୀ ‘ଜନସଂଘ’ ଗଢ଼ିଥିଲେ। ଯଦି ସତରେ ପଶ୍ଚିମବଙ୍ଗର କୌଣସି ରାଜନୈତିକ ଦଳ ଥାଏ, ତାହା ହେଉଛି ‘ବିଜେପି’।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, ଦିଦି, କାର୍ଯ୍ୟ ଦେଖାଇବାକୁ ବଙ୍ଗବାସୀ ଆପଣଙ୍କୁ ୧୦ ବର୍ଷ ସମୟ ଦେଲେ, କିନ୍ତୁ ଆପଣ ହିଂସା ଓ ଅରାଜକତା ଦ୍ୱାରା ଲୋକମାନଙ୍କ ସହ ପ୍ରତାରଣା କଲେ।

ଦିଦି କହୁଛନ୍ତି, ‘ଖେଲା ହୋବେ’, କିନ୍ତୁ, ସତକଥା ହେଲା ‘ଖେଲା ଶେଷ୍‌, ବିକାଶ ଆରମ୍ଭ ହୋବେ’। ଦିଦିଙ୍କ ସରକାର ‘ଜାତୀୟ ଶିକ୍ଷାନୀତି’ ପ୍ରଣୟନ କରିବାକୁ ମନା କରୁଛନ୍ତି। ବଙ୍ଗର ଯୁବକଯୁବତୀଙ୍କ ଭବିଷ୍ୟତ ପ୍ରତି ତାଙ୍କର ପରବାୟ ନାହିଁ। ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ବଙ୍ଗର ଯୁବକଯୁବତୀଙ୍କ ଭବିଷ୍ୟତ ସହ ଖେଳିବା ଲାଗି ଆମେ ଦିଦିଙ୍କୁ ସୁଯୋଗ ଦେବୁନାହିଁ।

The post ଗତରାତିରେ ହ୍ଵାଟ୍‌ସ୍‌ଆପ୍‌ ୪୦ ମିନିଟ୍‌ ‘ଡାଉନ୍‌’ ଥିଲା, ପଶ୍ଚିମବଙ୍ଗରେ ୫୦ ବର୍ଷ ଧରି ବିକାଶଧାରା ‘ଡାଉନ୍‌’ ରହିଛି: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from ରାଜନୀତି | Sambad https://ift.tt/2P8Mttp