
ବାରିପଦା: ବିଳମ୍ବରେ ହେଲେ ପଛେ ଶିମିଳିପାଳ ନିଆଁକୁ ନେଇ ତତ୍ପରତା ପ୍ରକାଶ କରିଛି ଶାସକ ବିଜୁ ଜନତା ଦଳ(ବିଜେଡି)। ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିବା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ନର୍ଦେଶକ୍ରମେ ଆଜି ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପୃଥକ ପୃଥକ ଭାବେ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜର ନିଆଁ ଲାଗିଥିବା ଅଞ୍ଚଳକୁ ମୟୂରଭଞ୍ଜ ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଭାଦବ ହାଁସଦାଃ, ଶ୍ରୀନାଥ ସୋରେନ, ଜିତେନ୍ଦ୍ର ମହାନ୍ତି, କୃଷ୍ଣାନନ୍ଦ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ପ୍ରଭାତ ନାୟକ, ସରୋଜ ବୋଷ, ଅରୁଣ ବରାଡ, ସୁନୀଲ ନାୟକ, ଅବଦୁଲ ହବିବ, ରାଜୀବ ଜେନା, ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତ, ଅନନ୍ତ ଦାସ, ଆଦିତ୍ୟ ପଣ୍ଡା, ଅମର ସେଠୀ, ସରୋଜ ଶତପଥି, ପ୍ରସନ୍ନଜିତ ମହାନ୍ତି, ପ୍ରମୁଖ ପୃଥକ ଦଳ ଭାଗ ଭାଗ ହୋଇ ସାମିଲ ହୋଇଛନ୍ତି।

ସେହିପରି ମହିଳା ବିଜେଡି ପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଂଲଗ୍ନ ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜଙ୍ଗଲ ନିଆଁକୁ ବୃଥା ରାଜନୀତି କରି ବନ୍ଦ ଡାକରାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବନ୍ଦ ପରିବର୍ତ୍ତେ ବନ୍ଦ ଡ଼ାକରା ଦେଇଥିବା ଯୁବଛାତ୍ର ସଙ୍ଗଠନ ଶିମିଳିପାଳ ନିଆଁ ଲିଭା କାର୍ଯ୍ୟରେ ଯୋଗ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି ।
ମହାଶିବରାତ୍ରୀ ଗୁରୁବାର ଦିନ ଯଶୀପୁରଠାରେ ନିଆଁ ଲିଭା କାର୍ଯ୍ୟରେ ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଯୋଗଦେବା ନେଇ ଦଳ ପକ୍ଷରୁ କୁହାଯାଇଛି। ଏହି ଅବସରରେ ବିଜେଡି ଜିଲ୍ଲା ସଭାପତି ସୁଦାମ ମାରାଣ୍ଡିଙ୍କ ସହିତ ଜିଲ୍ଲାର ସମସ୍ତ ନେତୃବୃନ୍ଦ ପୃଥକ ପୃଥକ ସ୍ଥାନରେ ଯୋଗଦେବେ ବୋଲି ଯୁବ ସଭାପତି ଅରୁଣ ବରାଡ଼ କହିଛନ୍ତି । ସାମଗ୍ରୀକ ଭାବେ ଶିମିଳିପାଳ ନିଆଁ ଲିଭାଇବାକୁ ବନ ବିଭାଗ, ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା ପୂର୍ବକ କିପରି ନିଆଁ ଲିଭାଯାଇପାରିବ ସେନେଇ ବିଜେଡି ଉଦ୍ୟମ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
The post ବିଜେଡି ଆଟ୍ ଶିମିଳିପାଳ ଅଭିଯାନର ଶୁଭାରମ୍ଭ, ଜଙ୍ଗଲକୁ ଗଲେ ନିର୍ବାଚନ ମଣ୍ଡଳୀୱାରି ଟିମ୍ first appeared on Sambad.
from ରାଜନୀତି – Sambad https://ift.tt/2PCUiYj
0 Comments