କୋଲକାତା: ‘ମୁଁ ବି ଜଣେ ହିନ୍ଦୁ ଝିଅ। ମୋ ସହିତ ହିନ୍ଦୁ କାର୍ଡ ଖେଳ ନାହିଁ’; ବୋଲି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ଆଜି ବେଶ ଶାଣିତ ଜବାବ ଦେଇଛନ୍ତି ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ।

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲର ଦିନକ ପୂର୍ବରୁ ଆଜି (ମଙ୍ଗଳବାର) ନନ୍ଦୀଗ୍ରାମରେ ଆୟୋଜିତ ଏକ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ତୃଣମୂଳ ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ବିରୋଧୀ ବିଜେପିକୁ ଚେତାବନୀ ଶୁଣାଇ କହିଛନ୍ତି,  ‘ମୁଁ ବି ଜଣେ ହିନ୍ଦୁ ଝିଅ। ପ୍ରତ୍ୟେକ ଦିନ ମୋର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୁଁ ନିୟମିତ ଚଣ୍ଡୀ ପାଠ କରିଥାଏ। ତେଣୁ ମୋ ସହିତ ହିନ୍ଦୁ କାର୍ଡ ଖେଳ ନାହିଁ’। ଏହା କହି ସର୍ବ ସମ୍ମୁଖରେ ମନ୍ତ୍ର ଓ ଶ୍ଲୋକ ଉଚ୍ଚାରଣ ପୂର୍ବକ ଚଣ୍ଡୀ ପାଠ ଆରମ୍ଭ କରି ଦେଇଥିଲେ ମମତା।

କେବଳ ଭୋଟ ହାତେଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କର ତୃଣମୂଳ ସରକାର ପଶ୍ଚିମବଙ୍ଗରେ ‘ମୁସଲମାନ ତୁଷ୍ଟୀକରଣ’ ଚଳାଇଛନ୍ତି ବୋଲି ବିଜେପି କରିଥିବା ଅଭିଯୋଗକୁ ଖଣ୍ଡନ କରି ମମତା କହଥିଲେ, ‘ମୁଁ କୁ‌ଆଡ଼େ ଜଣେ ବହିରାଗତ ଶରଣାର୍ଥୀ। ଏଠି ଆସି ମୁଁ କୁଆଡ଼େ ହିନ୍ଦୁ ମୁସଲମାନ ରାଜନୀତି କରୁଛି। ହେଲେ, ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୁଁ ଜଣେ ବଙ୍ଗାଳୀ। ମୁଁ ମଧ୍ୟ ହିନ୍ଦୁ ଝିଅ। ତେଣୁ, ମୋ ସହିତ ହିନ୍ଦୁ କାର୍ଡ ଖେଳ ନାହିଁ। ମୋତେ କୁହ, ତୁମେ କିପରି ଭଲ ହିନ୍ଦୁ ହେବାକୁ ହୁଏ, ସେକଥା ଜାଣିଛ କି? ଶାନ୍ତିପୂର୍ଣ୍ଣ ସହାବସ୍ଥାନ କ’ଣ ଜାଣିଛ କି?’ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ।

The post ‘ମୁଁ ବି ଜଣେ ହିନ୍ଦୁ ଝିଅ’... ନିଜ ପ୍ରାର୍ଥୀପତ୍ର ଦାଖଲର ଦିନକ ପୂର୍ବରୁ ନନ୍ଦିଗ୍ରାମ ରାଲିରେ ମମତା କଲେ ଚଣ୍ଡୀପାଠ first appeared on Sambad.



from ରାଜନୀତି – Sambad https://ift.tt/3qEbXMl