
କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନଥିଲେ ସୁଦ୍ଧା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଏବେ ଠାରୁ ତତ୍ପର ହୋଇ ଉଠିଲେଣି। ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଗତ ଡିସେମ୍ବର ମାସରୁ ବରିଷ୍ଠ ଦଳୀୟ ନେତାମାନଙ୍କୁ ନେଇ କ୍ରମାଗତ ଭାବେ ରାଲି ଓ ରୋଡ୍ ସୋ’ କରିବା ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି (ଶନିବାର) ପଶ୍ଚିମବଙ୍ଗରେ ଦଳ ପକ୍ଷରୁ ଆୟୋଜିତ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି।
ପତାକା ପ୍ରଦର୍ଶନ ପୂର୍ବକ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏହି ଯାତ୍ରାର ଶୁଭାରମ୍ଭ କରି ସେ ନିଜକୁ ଉତ୍ସାହିତ ମନେ କରୁଛନ୍ତି। କାରଣ, ବଙ୍ଗଳାରେ ଏବେ ପରିବର୍ତ୍ତନ ହେବାର ସମୟ ଆସି ଯାଇଛି। ଏବଂ ଏଥର ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)କୁ ତୀବ୍ର ସମାଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି, ମମତା ଦିଦି ୧୦ବର୍ଷ ପୂର୍ବେ ‘ମା, ମାଟି, ମାନୁଷ’ର ନାରା ଦେଇ ରାଜ୍ୟରେ ସରକାର ଗଠନ କରିଥିଲେ। ମାତ୍ର ଏଇ ୧୦ବର୍ଷରେ, ‘ମା’ (ମାତା) ଲୁଟ୍ ହୋଇଥିଲେ, ‘ମାଟି’ (ମାଟି)କୁ ଅସମ୍ମାନ କରାଯାଇଥିଲା ଏବଂ ‘ମାନୁଷ’ (ମଣିଷ) ସୁରକ୍ଷିତ ହୋଇ ନଥିଲେ।
ଜେପି ନାଡା ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପଶ୍ଚିମବଙ୍ଗର ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗଳାକୁ ସବୁକିଛି ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ମମତା କହୁଛନ୍ତି ‘ଚାହି ନା, ଚାହି ନା, ଚାହି ନା’ (ଦରକାର ନାହିଁ)। ସବୁକିଛି ପାଇଁ ସେ ଖାଲି କୁହନ୍ତି ‘ହୋବେ ନା’ (ଘଟିବ ନାହିଁ)? କିନ୍ତୁ, ଏଥର ନିର୍ବାଚନରେ ସବୁକିଛି ଘଟିବ ବୋଲି କହିଛନ୍ତି ଜେପି ନଡ୍ଡା।
ସେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ଏକ ଅତ୍ୟାଚାରୀ ସରକାର ଚଳାଉଛନ୍ତି, ଯେଉଁଥିରେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷିତ ନୁହେଁ। ମମତାଙ୍କୁ କଟାକ୍ଷ କରିବାକୁ ଯାଇ ବିଜେପି ସଭାପତି ନଡ୍ଡା କହିଛନ୍ତି, ଜୟ ଶ୍ରୀ ରାମଙ୍କ ସହ (ମମତା ବାନାର୍ଜୀଙ୍କ) ସମସ୍ୟା କ’ଣ? ମମତା କାହିଁକି ଏତେ କ୍ରୋଧିତ? ଭାରତର ସଂସ୍କୃତି ପ୍ରତି ସମ୍ମାନ ଦେବା ଭୁଲ କି? ଏଥିରୁ ଜଣାପଡିଛି ଯେ ରାଜନୀତି ଭାରତର ସଂସ୍କୃତି ଠାରୁ ଉର୍ଦ୍ଧ୍ୱରେ ଅଛି। ‘ଜୟ ଶ୍ରୀ ରାମ’ ଶୁଣିଲେ ମମତା ଜୀ କାହିଁକି ଏତେ କ୍ରୋଧିତ ହେଉଛନ୍ତି, ତାହା ମୁଁ ବୁଝିପାରୁ ନାହିଁ ବୋଲି କହିଛନ୍ତି ଶ୍ରୀ ନଡ୍ଡା।
The post ପଶ୍ଚିମବଙ୍ଗରେ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କଲେ ବିଜେପି ସଭାପତି ନଡ୍ଡା: କହିଲେ; ଆଉ ଚଳିବନି ‘ହୋବେ ନା’... first appeared on Sambad.
from ରାଜନୀତି – Sambad https://ift.tt/3joLaS0
0 Comments