ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ତେଣୁ ଖୁବଶୀଘ୍ର ଏହି ଆସନରେ ଉପନିର୍ବାଚନ ହୋଇପାରେ ।
ପିପିଲି ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ନିଜର ଗଡ ବଞ୍ଚାଇବାକୁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ବିଜେଡି କ୍ଷମତାକୁ ଆସିବା ପରଠାରୁ ଦଳର ଗଡ ହୋଇ ରହି ଆସିଛି ପିପିଲି । ବିଜେଡି ଏହି ଆସନରେ କେବେ ପରାଜୟର ସାମ୍ନା କରିନାହିଁ । ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରି ନିଜର ଗଡ ବଞ୍ଚାଇବ ତାହା ଉପରୁ ଏଯାଏଁ ପରଦା ହଟିନି । ଏହି ଆସନରେ ମହାରଥୀଙ୍କ ପରିବାରର ଭୋଟବ୍ୟାଙ୍କ ରହିଥିବା ବେଳେ ଦଳ ଏଯାଏଁ କିନ୍ତୁ ମହାରଥୀ ପରିବାରରୁ କାହାକୁ ପ୍ରାର୍ଥୀ କରିବ ସେ ନେଇ କୌଣସି ସଂକେତ ଦେଇନାହିଁ । ସବୁବେଳେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି ନେଉଥିବା ବିଜେଡି ସୁପ୍ରିମୋ ନବୀନ ଏଠାରେ ନୂଆ ମୁହଁକୁ ସୁଯୋଗ ଦେଇ ପରିବାରବାଦ ରାଜନୀତିରେ ପୂର୍ଣ୍ଣଚ୍ଛେଦ ପକାଇବେ ନା ପୁଣିଥରେ ମହାରଥୀଙ୍କ ପରିବାରର କାହାକୁ ସାମ୍ନାକୁ ଆଣିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।
ଗତ ୨୦୧୯ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲା । ଦଳ ୩ ନମ୍ବର ସ୍ଥାନରୁ ୨ ନମ୍ବର ସ୍ଥାନକୁ ଉଠିବା ସହ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେଣୁ ପ୍ରଦୀପଙ୍କ ଅବର୍ତ୍ତମାନରେ ଏହି ଆସନକୁ ହାତେଇବାକୁ ଜୋର ଲଗାଇପାରେ ବିଜେପି ।
The post ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ : ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଦଳ first appeared on Sambad.
from ରାଜନୀତି – Sambad https://ift.tt/2MAw8Ms
0 Comments