
ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାତ୍ମକ ପରିସ୍ଥିତି ସାମୟିକ ଭାବେ ଆୟତ୍ତାଧୀନ ହୋଇ ପଡ଼ିବା ପରେ ଏହାକୁ କେନ୍ଦ୍ରକରି ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।
ଏନ୍ସିପି ସୁପ୍ରିମୋ ଶରଦ ପାଓ୍ଵାର ଆଜିର ଅଘଟଣ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଦେଶର ଅନ୍ନଦାତାମାନଙ୍କ ଉପରେ ଯାହା ଅତ୍ୟାଚାର କଲେ କଲେ, ଆଉ ସେମାନଙ୍କ ବିରୋଧରେ ଅର୍ଦ୍ଧ ସାମରିକ ବାହିନୀଙ୍କୁ ଲଗାଇ ଆଉ ଅଧିକ ପାପ ଅର୍ଜନ କରନ୍ତୁ ନାହିଁ। ସେହିପରି ଟଏମ୍ସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ଅଘଟଣ ପାଇଁ ସରକାରଙ୍କର ଜିଦ୍ଖୋର ମନୋବୃତ୍ତି ହିଁ ଦାୟୀ।
ଅନ୍ୟପକ୍ଷରେ ଆନ୍ଦୋଳନର କେନ୍ଦ୍ରସ୍ଥଳ ହରିୟାଣା ନିକଟ ସିଙ୍ଗୁ ସୀମାରେ କୃଷକମାନେ ବାରିକେଡ୍ ଭାଙ୍ଗି ଦିଲ୍ଲୀ ସୀମା ବାହାରେ ବିଭିନ୍ନ ସ୍ଥାନରେ ୫୦୦୦ରୁ ଅଧିକ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ବିକ୍ଷୋଭକାରୀମାନେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ପ୍ରତିଶ୍ୁତି ଦେଇଥିଲେ ମଧ୍ୟ ବାଟରେ ଏକ ବସ୍କୁ ଭଙ୍ଗାରୁଜା କରିଥିଲେ।

ଟ୍ରାକ୍ଟର ରାଲି ଆୟୋଜନ କରିବା ପାଇଁ କୃଷକମାନଙ୍କ ପାଇଁ ତିନିଟି ମାର୍ଗ ସଫା କରାଯାଇଥିଲା- ସିଙ୍ଗୁ ସୀମା ନିକଟରେ ୬୩ କିଲୋମିଟର ମାର୍ଗ, ଟିକ୍ରି ସୀମାଠାରୁ ୬୨.୫ କିଲୋମିଟର ଦୂରତା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀକୁ ବିଭକ୍ତ କରୁଥିବା ଗାଜିପୁର ସୀମାଠାରୁ ୬୮ କିଲୋମିଟର ଦୂର ରାସ୍ତା। ହେଲେ, ସେମାନେ ଯୋଜନାବଦ୍ଧ ମାର୍ଗଠାରୁ ୨୦ କିଲୋମିଟର ଦୂରରେ ଥିବା ଦିଲ୍ଲୀର ଲାଲକିଲ୍ଲାକୁ ବଳପୂର୍ବକ ପ୍ରବେଶ ପାଇଁ ଚେଷ୍ଟା କରିବାରୁ ସଂଘର୍ଷର ସୂତ୍ରପାତ ହୋଥିଲା।
ସେହିପରି କୃଷକ ସଂଗଠନଗୁଡ଼ିକ ଅଭିଯୋଗ କରି କହିଛନ୍ତିଯେ ସେମାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୁଲିସ୍ ମନଇଚ୍ଛା ବ୍ୟାରିକେଡ୍ ଲଗାଇ ଦେଇଥିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।
ଦିଲ୍ଲୀ ପୁଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ କହିଛନ୍ତି ଯେ କୃଷକ ଓ ପୁଲିସ୍ ମଧ୍ୟରେ ହୋଇଥିବା ସଂଘର୍ଷରେ ୮୦ ଜଣ ପୁଲିସ ଆହତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସେହିପରି ନିଜ ଟ୍ରାକ୍ଟରରେ ବ୍ୟାରକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଚାଷୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି।
ଦିଲ୍ଲୀର ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ, ହରିୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ- ଏନ୍ସିଆର ଅଞ୍ଚଳରେ ୧୨ ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆନ୍ଦୋଳନରତ କୃଷକମାନଙ୍କୁ ହିଂସା ପରିହାର କରି ଶାନ୍ତି ବଜାୟ ରଖିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ସକାଳେ କୃଷକମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ। ସେମାନେ ସେମାନଙ୍କ ଉଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲିରେ ନଯାଇ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଗଲାବେଳେ ପୁଲିସ୍ ସହ ସେମାନଙ୍କର ହିଂସା ଆରମ୍ଭ ହୋଇଥିଲା। ବିଭିନ୍ନ ଦିଗରୁ ସେମାନେ ପୁଲିସ ସହିତ ସଂଘର୍ଷ ଆରମ୍ଭ କରିବା ସହ ପୁଲିସ୍ ଉପରକୁ ପଥର ଫିଙ୍ଗିଥିଲେ। ପରେ ସେମାନେ ଲାଲକିଲ୍ଲା ଭିତରକୁ ମଧ୍ୟ ପଶି ଯାଇଥିଲେ।
The post ଦିଲ୍ଲୀରେ ଅନ୍ନଦାତାଙ୍କ ଅରାଜକତା; ଦୋଷ ଖସାଇଲେ ଚାଷୀ ସଂଗଠନ, ଅସନ୍ତୋଷ ଝାଡ଼ିଲେ ବିରୋଧୀ first appeared on Sambad.
from ରାଜନୀତି – Sambad https://ift.tt/39YCnBO
0 Comments